ଚୀନ୍‌ ସହ ପୂର୍ବ ଚୁକ୍ତି କେତେ ପ୍ରାସଙ୍ଗିକ?

ନୂଆଦିଲ୍ଲୀ: କଥାରେ ଅଛି ଅକାଳେ ନିୟମ ନାସ୍ତି। ଅର୍ଥା‌ତ୍‌ ବିପତ୍ତି ସମୟରେ ନିୟମ ମାନି ଚଳିବା ବାଧ୍ୟତାମୁଳକ ନୁହେଁ। ଗଲ୍‌ୱାନ୍‌ ଘାଟିରେ ଭାରତ-ଚୀନ୍‌ ସୈନିକଙ୍କ ମଧ୍ୟରେ ସଂଘର୍ଷ ସମୟରେ ଚୀନ୍‌ ସେନା ଭାରତୀୟ ସୈନିକଙ୍କ ଉପରେ ଅତି ଭୟଙ୍କର ଆକ୍ରମଣ କରିଥିଲା। ଗୁଳି ଫୁଟିନଥିଲେ ମଧ୍ୟ ନଖ ଏବଂ ଲୁହା କଣ୍ଟା‌ ଖଞ୍ଜାଯାଇଥିବା ବାଡ଼ିରେ ଚୀନ୍‌ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିଥିଲା। ଭାରତୀୟ ସୈନିକ ମଧ୍ୟ ପାଲଟା ଯବାବ ଦେଇ ଆକ୍ରମଣ କରିଥିଲେ। କିନ୍ତୁ ବାସ୍ତବରେ ଚୀନ୍‌ ସେନାର ଆକ୍ରମଣରେ ଭାରତର ଅନେକ କ୍ଷତି ହୋଇଛି। ୨୦ ସୈନିକ ସହିଦ ହେବା ସହ ୧୮ ଜଣ ଗୁରୁତର ଅଛନ୍ତି। ଭାରତୀୟ ସୈନିକ ପୂର୍ବ ଚୁକ୍ତିକୁ ସମ୍ମାନ ଦେଇ ଗୁଳି ଫୁଟାଇନଥିଲେ। ୧୯୬୬ ଚୁକ୍ତି ଅନୁଯାୟୀ ଉଭୟ ଭାରତ ଏବଂ ଚୀନ୍‌ ସୈନିକମାନେ ଏଲ୍‌ଏସିର ୨ କିମି ମଧ୍ୟ‌ରେ ଗୁଳି ଚାଳନା କରିବେନି କି କୌଣସି ପ୍ରକାର ବିସ୍ଫୋରଣ କରିବେନି। ଏହାକୁ ଉଭୟ ପକ୍ଷ ମାନିଛନ୍ତି। କିନ୍ତୁ ଏବେ ଏକ ପ୍ରଶ୍ନ ଜୋର୍‌ ଧରିଛି। ‌ଭାରତୀୟ ସୈନିକଙ୍କୁ କାହିଁକି ନିରସ୍ତ୍ର କରି ସହିଦ ହେବାପାଇଁ ସୀମାକୁ ପଠାଯାଉଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଇଛି। ଗତକାଲି ମଧ୍ୟ ଏହି ପ୍ରସଙ୍ଗକୁ ‌ନେଇ ଏକ ବିବାଦ ଉପୁଜିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉକ୍ତ ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ଟା‌ର୍ଗେଟ୍‌ କରିଥିଲେ। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କିନ୍ତୁ ରାହୁଲଙ୍କୁ ଜବାବ ଦେଇ କହିଥିଲେ ଯେ, କୌଣସି ସୈନ୍ୟ ନିରସ୍ତ୍ର ହୋଇ ସୀମାକୁ ଯାଇନଥିଲେ। ଚୁକ୍ତିକୁ ସମ୍ମାନ ଦେଇ ଉଭୟ ପକ୍ଷ ଗୁଳି ଚାଳନା କରିନଥିଲେ। କିନ୍ତୁ ଅନେକ ପୂର୍ବତନ ବରିଷ୍ଠ ସାମରିକ ଅଧିକାରୀ ଏହି ନୀତିକୁ ତୀବ୍ର ବିରୋଧ କରିଛନ୍ତି।

ପୂର୍ବତନ ଉତ୍ତର ସେନା କମା‌ଣ୍ଡର ଲେପ୍ଟନାଣ୍ଟ୍‌ ଜେନେରାଲ ଏଚ୍‌ ଏସ ପାନଗ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଏଭଳି ଚୁକ୍ତି କେବଳ ସୀମା ପରିଚାଳନା କ୍ଷେତ୍ରରେ ପ୍ରୟୋଗ କରାଯିବ । କିନ୍ତୁ ସାମରିକ ସ୍ଥିତି ସହ ଡ୍ରିଲ୍‌ କଲାବେଳେ ଅର୍ଥାତ୍‌ ସୈନିକଙ୍କ ଜୀବନ ‌ଯେତେବେଳେ ବିପଦରେ ଅଛି ସେ ସମୟରେ ଏହି ନିୟମର ଅନୁକରଣ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ସୈନିକଙ୍କ ଜୀବନ ବିପଦରେ ଥିବାବେଳେ ଜଣେ କମାଣ୍ଡର ତୋପ ସହ ସମସ୍ତ ପ୍ରକାର ଅସ୍ତ୍ର ବ୍ୟବହାର କରିବା ଉଚିତ୍‌ ବୋଲି ସେ କହିଛନ୍ତି। ବ୍ରିଗେଡିୟର ସନ୍ଦିପ ଥାପର (ଅବସରପ୍ରାପ୍ତ) କହିଛନ୍ତି, ଯେତେବେଳେ ତୁମ କର୍ନେଲ୍‌ଙ୍କୁ ତୁମ ଆଖି ଆଗରେ ମାରି ଦିଆଯାଉଛି ସେ ସମୟରେ ସବୁ ନିୟମକୁ ପଛ କରିଦେବା ଉଚିତ୍‌। ଯଦି ଶତ୍ରୁ ନିୟମ ଭାଙ୍ଗୁଛି ତେବେ ସେ ସମୟରେ ତୁମେ ନିୟମକୁ ସମ୍ମାନ ଦେବା କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର