ରୁଷରେ ବିଶ୍ବର ପ୍ରଥମ କୋଭିଡ୍-୧୯ ଟିକାର ପରୀକ୍ଷା: ମାଂସପେଶୀରେ ଇଞ୍ଜେକ୍‌ସନ୍ ଆକାରରେ ଦିଆଗଲା, ୨୮ ଦିନିଆ ଏକାନ୍ତବାସରେ ଟିକା ନେଇଥିବା ସ୍ବେଚ୍ଛାସେବୀ

ନୂଆଦିଲ୍ଲୀ: ଭଲ୍ୟୁଣ୍ଟର୍‌ମାନଙ୍କ ଦେହରେ କରୋନାଭାଇରସ୍ ବିରୋଧୀ ଟିକାର ଡାକ୍ତରୀ ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା କଥା ରୁଷ୍ ଦାବି କରିଛି। ପରୀକ୍ଷା ପାଇଁ ଜୁନ୍ ୧୬ ତାରିଖ ଦିନ ରୁଷୀୟ ସ୍ବାସ୍ଥ୍ୟ ବିଭାଗ ଅନୁମତି ଦେଇଥିଲା। ଏହାପରେ ମାବନୀୟ ପରୀକ୍ଷଣ କରାଯାଇଥିଲା।

‘ଲାଇପୋଫିଲିସ୍‌ଡ୍’ ବା ପାଉଡର୍ ଭାବେ ଥିବା ଏହି ଟିକାରୁ ଦ୍ରବଣ ପ୍ରସ୍ତୁତ କରାଯାଇ ସ୍ବେଚ୍ଛାସେବୀ‌ମାନଙ୍କ ମାଂସପେଶୀରେ ଇଞ୍ଜେକ୍‌ସନ୍ ଆକାରରେ ପ୍ରୟୋଗ କରାଯାଇଥିଲା। କେତେକ ଭଲ୍ୟୁଣ୍ଟର୍ କହିଥିଲେ ଯେ, ସେମାନଙ୍କର ମୁଣ୍ଡବିନ୍ଧା ଓ ଜ୍ବର ହେଉଛି। କିନ୍ତୁ, ବିଶ୍ବବିଦ୍ୟାଳୟ କହିଥିଲା ଯେ, ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ଏହା କମିଯିବ। ସ୍ବେଚ୍ଛାସେବୀମାନଙ୍କୁ ସେଚେନୋଭ୍ ବିଶ୍ବବିଦ୍ୟାଳୟର ଗୋଟିକିଆ ଓ ଦି’ଟିକିଆ ୱାର୍ଡରେ ରଖାଯାଇଥିଲା।

ଅନ୍ୟାନ୍ୟ ସଂକ୍ରମଣରୁ ନିରପଦ ରହିବାକୁ ସମ୍ପୃକ୍ତ ସ୍ବେଚ୍ଛାସେବୀ‌ମାନଙ୍କୁ ୨୮ ଦିନିଆ ଏକାନ୍ତବାସରେ ରଖାଯାଇଛି। ବିଶ୍ବବିଦ୍ୟାଳୟରୁ ଯିବା ପରେ ଛଅ ମାସଯାଏଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବ। ଏକାନ୍ତବାସ ସମୟରେ ସେମାନଙ୍କୁ ମାନସିକସ୍ତରୀୟ ସହାୟତା ଯୋଗାଇ ଦିଆଯାଇଥିଲା।

Image Courtesy of HT

ଜୁନ୍ ୧୮ ତାରିଖ ଦିନ ‘ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା କଥା ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜି’ର ନିର୍ଦେଶକ ଭାଦିମ ତାରାସୋଭ୍ ‘ସ୍ପୁଟ୍‌ନିକ୍ ନିଉଜ୍‌’କୁ କହିଥିଲେ। ଟିକା ନେଇଥିବା ପ୍ରଥମ ଦଳର ସ୍ବେଚ୍ଛାସେବୀମାନଙ୍କୁ ବୁଧବାର ଦିନ ଏବଂ ଦ୍ବତୀୟ ଦଳର ଭଲ୍ୟୁଣ୍ଟର୍ସମାନଙ୍କୁ ଜୁଲାଇ ୨୦ ଦିନ ଛଡ଼ାଯିବ।

ବିଶ୍ବବିଦ୍ୟାଳୟ ରୁଷ୍‌ର ‘ଗା‌ମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି’ ଦ୍ବାରା ଉତ୍ପାଦିତ ଏହି ଟିକାର ଡାକ୍ତରୀ ପରୀକ୍ଷା ଜୁନ୍ ୧୮ ତାରିଖ ଦିନ କରିଥିଲା। ସେଦିନ ୧୮ ଜଣ ସୁସ୍ଥ ଭଲ୍ୟୁଣ୍ଟର୍ ଏହି ଟିକା ନେଇଥିଲେ। ଜୁନ୍ ୨୩ ତାରିଖ ଦିନ ହୋଇଥିବା ପରୀକ୍ଷାରେ ୨୦ ଜଣ ଭଲ୍ୟୁଣ୍ଟର୍‌ଙ୍କୁ ଏହି ଟିକା ଦିଆଯାଇଥିଲା। ସମସ୍ତ ସ୍ବେଚ୍ଛାସେବୀ‌ ଥିଲେ ୧୮ରୁ ୬୫ ବର୍ଷ ବୟସର ପୁରୁଷ ଓ ମହିଳା।

ସମ୍ବନ୍ଧିତ ଖବର