ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧକୁ ୪୮ ଦିନ ପୂରି ଯାଇଥିବା ବେଳେ ରୁଷ୍ ସେନା ଏବେ ପୂର୍ବ ୟୁକ୍ରେନ୍ରେ ଧ୍ବଂସଲୀଳା ଜାରି ରଖିଛି। ତେବେ ଏହି ଯୁଦ୍ଧ ପାଇଁ ରୁଷ୍କୁ ମଧ୍ୟ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ରୁଷ୍ର ୧୫ ହଜାରରୁ ଅଧିକ ସୈନିକ ନିହତ ହୋଇଥିବା ୟୁକ୍ରେନ୍ ଦାବି କରିଥିବା ବେଳେ ରୁଷ୍ ସେନା ୪୭୬ଟି ଟ୍ୟାଙ୍କ ହରାଇଥିବା ଅନୁମାନ କରାଯାଉଛି । ୟୁକ୍ରେନ୍ ସେନା ଅତ୍ୟାଧୁନିକ କ୍ଷୁଦ୍ର ଯୁଦ୍ଧାସ୍ତ୍ରରେ ରୁଷ୍ ସେନାର ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଅତ୍ୟାଧୁନିକ ଟ୍ୟାଙ୍କ୍ ବିଧ୍ବଂସୀ କ୍ଷେପଣାସ୍ତ୍ରକୁ କାନ୍ଧରେ ଧାରଣ କରି ୟୁକ୍ରେନ୍ ସେନା ସେନା ଶହ ଶହ ରୁଷୀୟ ଟ୍ୟାଙ୍କ୍କୁ ନଷ୍ଟ କରିଦେଇଛନ୍ତି। ଏହା ସହିତ ୟୁକ୍ରେନ୍ ସେନା ରୁଷ୍ ସେନାକୁ ବିଭିନ୍ନ ସ୍ଥାନରେ ଯେଭଳି ସଫଳତାର ସହ ରୋକିବାକୁ ସକ୍ଷମ ହୋଇଛି ତାହା ମଧ୍ୟ ଉଦାହରଣୀୟ। ଭାରତୀୟ ସେନା ବହୁଳ ଭାବେ ରୁଷ୍ ଅସ୍ତ୍ରଶସ୍ତ୍ର ଏବଂ ଟ୍ୟାଙ୍କ୍ ଉପରେ ନିର୍ଭରଶୀଳ ଥିବା ବେଳେ ଏହି ଯୁଦ୍ଧରୁ ଏବେ ଯଥୋଚିତ ଶିକ୍ଷା ହାସଲ ପାଇଁ ଯୁଦ୍ଧକୁ ଅଧ୍ୟୟନ କରୁଛି। ଉଭୟ ସେନାର ରଣନୀତି, ଏଥିରେ ଥିବା ତ୍ରୁଟି, ବ୍ୟବାହାର ହେଉଥବା ଅସ୍ତ୍ରର ସାମର୍ଥ୍ୟ ଏବଂ ଉପଯୋଗିତା ନେଇ ସେନା ଅଧ୍ୟୟନ କରୁଛି।
ରୁଷ୍ ଭଳି ମହାଶକ୍ତିଶାଳୀ ରାଷ୍ଟ୍ର ବ୍ୟାପକ କ୍ଷୟକ୍ଷତି ସତ୍ତ୍ବେ ଲମ୍ବା ଯୁଦ୍ଧ ଲଢ଼ିବା ପାଇଁ ସକ୍ଷମ ଥିବା ବେଳେ ଏଭଳି କ୍ଷେତ୍ରରେ ଭାରତର ରଣନୀତି କିଭଳି ରହିବ ସେ ନେଇ ଚର୍ଚ୍ଚା ଚାଲିଛି । ପୂର୍ବତନ ୧୫ କର୍ପସ କମାଣ୍ଡର ତଥା ଜାତୀୟ ନିରାପତ୍ତା ପରମର୍ଶଦାତା ବୋର୍ଡର ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରତ ଶାହ ଆକଳନ କରିଛନ୍ତି ଯେ ରୁଷ୍ ସେନାର ଲଜିଷ୍ଟିକ୍ ନେଇ ଅନେକ ତ୍ରୁଟି ସାମ୍ନାକୁ ଆସିଛି। ରୁଷ୍ର ଆକ୍ରମଣ ପ୍ରଚଣ୍ଡ ରହିଥିଲେ ମଧ୍ୟ ସେନାବାହିନୀର ସାମର୍ଥ୍ୟ ତଥା ପ୍ରତିବଦ୍ଧତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉପଲବ୍ଧ ଯୁଦ୍ଧ ଭିଡିଓଗୁଡିକ ଦର୍ଶାଉଛି ଯେ ୟୁକ୍ରେନ ଯୁଦ୍ଧରେ ରୁଷ୍ ସେନାର ରଣନୀତି ଅନେକ ସ୍ଥଳରେ ଭୁଲ୍ ମାର୍ଗରେ ପରିଚାଳିତ ହେଉଛି । ବିନା ବାୟୁସେନା ସୁରକ୍ଷାରେ ରୁଷ୍ର ଟ୍ୟାଙ୍କ୍ ବାହିନୀ ଯେଭଳି ଅଭିଯାନ କରୁଛନ୍ତି ତାହା ଘାତକ ସାବ୍ୟସ୍ତ ହେଉଛି। ଟ୍ୟାଙ୍କଗୁଡ଼ିକ ଟ୍ୟାଙ୍କ୍ ବିଧ୍ବଂସୀ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନଥାଇ ଯୁଦ୍ଧରେ ସାମିଲ ହେବା ବିସ୍ମୟ ସୃଷ୍ଟି କରିଛି। ଏହା ସହିତ ରୁଷ୍ର ବାୟୁସେନା ନିୟନ୍ତ୍ରଣରେ ୟୁକ୍ରେନ୍ ବାୟୁସୀମା ରହିଥିଲେ ମଧ୍ୟ ୟୁକ୍ରେନ୍ ଏହାକୁ ପ୍ରତିହତ କରି ଆକ୍ରମଣ କରବାକୁ ସମର୍ଥ ହେଉଥିବା ଦେଖାଯାଇଛି।