ଭାରତ‌ରେ କାରଖାନା କେତେ ସୁରକ୍ଷିତ? ଗୁଜରାଟରେ ସର୍ବାଧିକ ଦୁର୍ଘଟଣା

ନୂଆଦିଲ୍ଲୀ: ପଂଜାବର ଗୁରୁଦାସପୁରରେ ଗତକାଲି ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦ରୁ ଅଧିକ ଆହତ ହୋଇଥିଲେ। ସେହିପରି ଗତ ମଙ୍ଗଳବାର ଦିନ ମୁମ୍ବାଇର ଓଏନ୍‌ଜିସି (ଅଏଲ ଆଣ୍ଡ୍‌ ନାଚୁରାଲ ଗ୍ୟାସ୍‌ କର୍ପୋରେସନ୍‌) ପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଗତ ଅଗଷ୍ଟ ୨୮ ତାରିଖ‌ରେ ମହାରା‌ଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ରସାୟନିକ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଆହୁରି ୭୨ ଜଣ ଆହତ ‌ହୋଇଥିଲେ। ତେବେ ମାତ୍ର ସପ୍ତାହକ ମଧ୍ୟରେ ବିଭିନ୍ନ କାରଖାନରେ ଘଟିଥିବା ଦୁର୍ଘଟଣାରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ କାରଖାନାଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଜଣାପଡ଼ିଚି।

ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ‌ଯେ ଭାରତରେ ୨୦୧୪ରୁ ୨୦୧୬ ମଧ୍ୟରେ ବିଭିନ୍ନ ସ୍ଥାନରେ କାରଖାନରେ ଦୁର୍ଘଟଣା ଯୋଗୁଁ ଅନେକ ପ୍ରାଣହାନି ହୋଇଛି। ପ୍ରମୁଖ ୫ଟି ରାଜ୍ୟ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ସବୁଠୁ ଅଧିକ କାରଖାନାରେ ଦୁର୍ଘଟଣା ହେଉଛି। ଗୁଜରାଟରେ ବିଭିନ୍ନ କାରଖାନାରେ ଦୁର୍ଘଟଣା ଯୋଗୁଁ ୨୦୧୪ରୁ ୧୬ ମଧ୍ୟରେ ୬୮୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହି ସମୟ ମଧ୍ୟରେ ୪୮୨, ତାମିଲନାଡ଼ୁରରେ ୨୯୬, ଛତିଶଗଡ଼ରେ ୨୬୮ ଏବଂ ଆନ୍ଧ୍ରପ୍ର‌ଦେଶରେ ୨୧୮ ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ୩୫୬୨ ଜଣ ୩ ବର୍ଷରେ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୫୧,୧୨୪ ଜଣ ମଧ୍ୟ ବିଭିନ୍ନ ଦୁର୍ଘଟଣା ପାଇଁ ଆହତ ହୋଇଛନ୍ତି। ‌ତେବେ ଏହି ତଥ୍ୟା ଆଧାରରେ ଜଣାପଡ଼ୁଛି ଯେ ଭାରତରେ ପ୍ରତିଦିନ ୩ ଜଣଙ୍କର କାରଖାନା ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହେଉଛି ଏବଂ ପ୍ରତିଦିନ ୪୭ ଜଣ ଆହତ ହେଉଛନ୍ତି।

ସମ୍ବନ୍ଧିତ ଖବର