ହିଂସା ବଢ଼ାଉଛି ସୋସିଆଲ ମିଡିଆ। ଅନେକ ଦେଶରେ ସରକାର ଭାଙ୍ଗିବା ପଛରେ ସୋସିଆଲ ମିଡିଆର ବଡ଼ ହାତ ରହିଛି। ଏହାକୁ ମାନବ ସମାଜର କଲ୍ୟାଣ ପାଇଁ ବ୍ୟବହାର କରାଯିବା ପରିବର୍ତ୍ତେ ଅନେକ ସ୍ଥାନରେ ନୀରିହ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି ଏହି ମାଧ୍ୟମ। ଆଜିକା ସମୟରେ ସାମାଜିକ ଗଣମାଧ୍ୟମ ଜନମତକୁ ପ୍ରଭାବିତ କରିବା ଏବଂ ସମାଜରେ ଚାଲିଥିବା ଆଲୋଚନାକୁ ପ୍ରଭାବିତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। କମ ମୂଲ୍ୟରେ ଅଗଣିତ ଲୋକଙ୍କ ପାଖରେ ପହଞ୍ଚିପାରୁଥିବାରୁ, ବିଶେଷ କରି ସ୍ମାର୍ଟଫୋନର ଉପଲବ୍ଧତା ସହଜ ହୋଇଥିବାରୁ ଏବେ ଏହାର ଦୁରୁପୋଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ କ’ଣ କରିପାରେ, ଏହାର ଶକ୍ତି କେତେ, ତାହା ଆମେ ଭାରତ ସମେତ ଅନେକ ଦେଶରେ ଦେଖିସାରିଛେ। ଯଦି ଆମେ ଗତ ସପ୍ତାହ କଥା କହିବା, ତେବେ ନେପାଳରେ କ’ଣ ସବୁ ଘଟିଗଲା, ତାହା ସାରା ବିଶ୍ବ ଦେଖିଲା। ସୋସିଆଲ ମିଡିଆ ପାଇଁ ରାତାରାତି ସରକାର ଭାଙ୍ଗିବା ସହ ୫୧ଜଣଙ୍କ ଜୀବନ ଚାଲିଗଲା। କେବଳ ନେପାଳ ନୁହେଁ ବିଶ୍ବରେ ଅନେକ ସ୍ଥାନରେ ସୋସିଆଲ ମିଡିଆ ପାଇଁ ଅନେକ ପରିବାର ଉଜୁଡ଼ିଥିବା ଦେଖାଯାଇଛି।
ସୋସିଆଲ ମିଡିଆ ବା ସମାଜିକ ଗଣମାଧ୍ୟମ ଏବେ ଏକ ଦୁଇଧାର ଖଣ୍ଡା ଭାବରେ କାର୍ଯ୍ୟ କରୁଛି। ଏହା ଗୋଟିଏ ପଟେ ଗଣତାନ୍ତ୍ରିକ ଅଂଶଗ୍ରହଣର ପଥକୁ ବିସ୍ତାର କରିଥିବା ବେଳେ ଅନ୍ୟପଟେ ସମାଜରେ ଘୃଣା ଏବଂ ହିଂସା ବଢ଼ାଉଛି। ସମାଜିକ ଗଣମାଧ୍ୟମ ଦଳିତ, ନିଷ୍ପେସିତ ଲୋକଙ୍କ ସ୍ୱର ପାଲଟିବା ସହ ସେମାନଙ୍କର ଦୃଷ୍ଟିକୋଣକୁ ବ୍ୟାପକ ଦର୍ଶକଙ୍କ ପାଖରେ ପହଞ୍ଚାଉଛି। ରାଜନେତା ଏବଂ ସରକାରମାନେ ସେମାନଙ୍କର ପଦକ୍ଷେପ ପାଇଁ ସମର୍ଥନ ସଂଗ୍ରହ କରିବା ଏବଂ ବିତର୍କ, ବିଜ୍ଞାପନ ଏବଂ ସାମାଜିକ ଅଭିଯାନ ମାଧ୍ୟମରେ ସେମାନଙ୍କର ସମର୍ଥନକୁ ବିସ୍ତାର କରିବା ପାଇଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି। ଯଦି ଆମେ ସରଳ ଭାଷାରେ କହିବା ତେବେ ଆଜିକାଲି ଲୋକେ ଅସଲ ଜୀବନ ଅପେକ୍ଷା ସୋସିଆଲ ମିଡିଆ ଦୁନିଆରେ ବଞ୍ଚୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।
ବାଂଲାଦେଶ, ନେପାଳ ଭଳି ଦେଶ ଏବଂ ଭାରତର ମଣିପୁର, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟରେ ନିକଟ ଅତୀତରେ ହୋଇଥିବା ହିଂସାରେ ସୋସିଆଲ ମିଡିଆ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯଦି ଆମେ ବାଂଲାଦେଶ କଥା କହିବା ତେବେ ୧୯୭୧ରେ ସ୍ବାଧୀନତା ପାଇବା ପାଇଁ ସଂଗ୍ରାମ କରିଥିବା ପରିବାରର ପିଲାଙ୍କୁ ସରକାରୀ ଚାକିରିରେ ୩୦ପ୍ରତିଶତ କୋଟା ଦିଆଯିବାକୁ ନେଇ ବାଂଲାଦେଶରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏଭଳି କରି ଶେଖ ହସିନା ନିଜ ସମର୍ଥକମାନଙ୍କୁ ସାହାର୍ଯ୍ୟ କରୁଥିବା ଦାବି କରିଥଇଲେ ବିକ୍ଷୋଭକାରୀ, ଯେଉଁଥିପାଇଁ ଦେଶରେ ଉତ୍ତେଜନା ବଢ଼ିଥିଲା। ସୋସିଆଲ ମିଡିଆରେ ହିଂସା କଲା ଭଳି ପୋଷ୍ଟ କରାଯିବା ପରେ ଅଧିକରୁ ଅଧିକ ଲୋକ ଏହି ବିକ୍ଷୋଭରେ ଯୋଡ଼ି ହୋଇଥିଲେ, ଯାହା ଫଳରେ ସରକାର ଭାଙ୍ଗିବା ସହ ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ ଶେଖ୍ ହସିନା।
ନେପାଳ ସ୍ଥିତି ମଧ୍ୟ ସମାନ। ନେପାଳର ଯୁବପିଢ଼ି ପୂର୍ବରୁ ଦୁର୍ନୀତି, ଏକଚ୍ଛତ୍ରବାଦ, ଆର୍ଥିକ ଅସମାନତା ଓ ନେତୃତ୍ୱରେ ଉତ୍ତରଦାୟିତ୍ୱର ଅଭାବ ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ।।କିନ୍ତୁ ଯେତେବେଳେ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ନିଷିଦ୍ଧ କଲେ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ନିଜ ସ୍ୱପ୍ନ ବୁଣୁଥିବା ଯୁବପିଢ଼ିଙ୍କ ସୁଅ ରାସ୍ତାକୁ ମାଡ଼ି ଆସିଥିଲା। ଦେଖୁ ଦେଖୁ ନେପାଳର ପ୍ରମୁଖ ସହରଗୁଡ଼ିକର ରାସ୍ତା ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଗଲା। ଏତେ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ରାସ୍ତାକୁ ଆଣିବାରେ ସୋସିଆଲ ମିଡିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ମେ ୨୦୨୩ରେ ମୈତେୟୀ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା। ଏପ୍ରିଲ ୧୪, ୨୦୨୩ରେ ମଣିପୁର ହାଇକୋର୍ଟ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ। ଏଥିପାଇଁ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାର ନିଆଁରେ ଘିଅ ଢ଼ାଳିଥିଲା ସୋସିଆଲ ମିଡିଆ। ଅଧା ସତ୍ୟ ଥିବା ସୂଚନା ଦେଇ ଉତ୍ତେଜନା ସୃଷ୍ଟି କଲା ଭଳି ପୋଷ୍ଟ କରାଯିବାରୁ ଏହି ହିଂସା ବଢ଼ିଥିଲା। ପରେ ସରକାର ବାଧ୍ୟ ହୋଇ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ଆଇନ ଗୃହୀତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ସହିତ ଏକ ଆଇନରେ ପରିଣତ ହୋଇଥିଲା। ଏହା ପରେ ଦେଶର ଅଧିକାଂଶ ମୁସଲିମ ସଂଗଠନ ଏହି ଆଇନକୁ ବିରୋଧ କରିଥିଲେ। ସମାନ କ୍ରମରେ, ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ୍ ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନେ ହିଂସାତ୍ମକ ହୋଇଯାଇଥିଲେ। ବିକ୍ଷୋଭକାରୀମାନେ ପୁଲିସ ଦଳ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସୋସିଆଲ ମିଡିଆରେ ଏହି ଆଇନକୁ ନେଇ ହିଂସା ସୃଷ୍ଟି କଲା ପୋଷ୍ଟ ଘୁରି ବୁଲିବା ପରେ ଏହି ହିଂସା ଅଣାୟତ୍ତ ହୋଇଥିଲା।
ସେହିଭଳି ୨୦୨୦ରେ ନାଗରିକତ୍ୱ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ନାଗରିକତ୍ୱ ଆଇନକୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରାଯିବା ପରେ ଏହି ହିଂସା ବଢ଼ିଥିଲା।
ମହାରାଷ୍ଟ୍ରର ନାଗପୁରରେ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ହିଂସା ହେଉଛି ଆଉ ଏକ ଉଦାହରଣ। ସମ୍ଭାଜୀ ନଗରରେ ଔରଙ୍ଗଜେବଙ୍କ ସମାଧିକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ନେଇ ହିଂସା ଘଟିଥିଲା। ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି) ଏହି ସମାଧିସ୍ଥଳକୁ ଭାଙ୍ଗିବା ପାଇଁ ଦାବି କରିଥିଲେ। ଉଭୟ ଗୋଷ୍ଠୀ ନାଗପୁରରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ, ଯାହାର କିଛି ଘଣ୍ଟା ପରେ ହିଂସା ଦେଖା ଦେଇଥିଲା।
Violence | social media