ଜି-୨୦ ନେତାଙ୍କ ଜଳବାୟୁ ଆଲୋଚନା କେତେ ସଫଳ ହେବ?

ରୋମ୍ : ଜି୨୦ ନେତାମାନେ ରୋମ୍‌ଠାରେ ଅନୁଷ୍ଠିତ ସମ୍ମିଳନୀର ଦ୍ବିତୀୟ ଦିବସରେ ରବିବାର ପରିବେଶ ଉପରେ ଆଲୋଚନା କରିଥିଲେ। କିନ୍ତୁ ଜାତିସଂଘର ଗୁରୁତ୍ବପୂର୍ଣ୍ଣ ସିଓପି-୨୬ ଅନ୍ତର୍ଜାତୀୟ ଜଳବାୟୁ ସମ୍ମିଳନୀ ପୂର୍ବରୁ ଏହି ନେତାମାନେ ବିଶ୍ବତାପନ ପ୍ରଶମନ ସମ୍ପର୍କରେ ପରସ୍ପର ଭିତରେ ଥିବା ମତପାର୍ଥକ୍ୟ ଦୂର କରିବାକୁ ସମର୍ଥ ହୋଇନଥିଲେ। ବିକଶିତ ରାଷ୍ଟ୍ରମାନେ ନିଷ୍ଠାର ସହ ପ୍ୟାରିସ୍‌ ଜଳବାୟୁ ଚୁକ୍ତି କାର୍ଯ୍ୟକାରୀ କରିନଥିବାରୁ ବିକାଶଶୀଳ ରାଷ୍ଟ୍ରମାନେ ଏ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।

ଗତକାଲି ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌-୧୯ ମହାମାରୀ, ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ଆଲୋଚନା କରାଯାଇଥିଲା। ଶେଷ ପର୍ଯ୍ୟାୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଥିଲା ଆଲୋଚନାର ମୁଖ୍ୟ ବିଷୟବସ୍ତୁ। ତେବେ ଏହି ସମ୍ମିଳନୀରେ ଯଦି ଜି ୨୦ ନେତାମାନଙ୍କ ଭିତରେ ଐକମତ୍ୟ ଓ ଗଠନମୂଳକ ଦୃଷ୍ଟିକୋଣ ପ୍ରକାଶ ନ ପାଏ ତାହା ବୈଜ୍ଞାନିକ ଓ ପରିବେଶବିତ୍‌ମାନଙ୍କୁ ହତାଶ କରିବ। କିନ୍ତୁ ଏପର୍ଯ୍ୟନ୍ତ ଯେଉଁ ଅନ୍ତିମ ଚିଠା ରିପୋର୍ଟ ଆସିଛି ସେଥିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସେମିତି କିଛି ନୂଆ ପ୍ରତିବଦ୍ଧତା ପ୍ରକାଶ ପାଇ ନ ଥିବା ଜଣାପଡ଼ିଛି। ଜି୨୦ ଦେଶଗୁଡ଼ିକ ଭିତରେ ଥିବା ଚୀନ୍, ଭାରତ, ଜର୍ମାନୀ ଓ ଆମେରିକା ବିଶ୍ବ ସବୁଜଗୃହ ବାଷ୍ପ ନିର୍ଗମନର ୮୦ ପ୍ରତିଶତ ପାଇଁ ଦାୟୀ। ଜଳବାୟୁ ବିପର୍ଯ୍ୟୟକୁ ରୋକିବା ପାଇଁ ଏହାକୁ ଦ୍ରୁତଗତିରେ କମାଇବା ଦରକାର ବୋଲି ବୈଜ୍ଞାନିକମାନେ ମତ ଦେଇ ଆସୁଛନ୍ତି।

ସ୍କଟଲାଣ୍ଡର ଗ୍ଲାସ୍‌ଗୋଠାରେ ଜାତିସଂଘର ସିଓପି୨୬ ଜଳବାୟୁ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ହୋଇଥିବା ଏହି ସମ୍ମିଳନୀର ଅତ୍ୟନ୍ତ ଗୁରୁତ୍ବ ରହିଥିଲା। ଜାତିସଂଘର ଉକ୍ତ ସମ୍ମିଳନୀରେ ପ୍ରାୟ ୨୦୦ ଦେଶ ଭାଗନେବେ। ଜି୨୦ ସମ୍ମିଳନୀରେ ଯେଉଁମାନେ ଯୋଗ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋମ୍‌ରୁ ସିଧା ଗ୍ଲାସ୍‌ଗୋ ଯାଇଛନ୍ତି। ଜଳବାୟୁ ସମ୍ମିଳନୀ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ରିପୋର୍ଟ ଆସିଛି ତାହା ନୈରାଶ୍ୟଜନକ। ଜୀବନସଂକଟ ସମୟରେ ବି କେହି ପରିବେଶ ସୁରକ୍ଷାକୁ ଏତେ ଗୁରୁତ୍ବ ଦେଲା ପରି ମନେହେଉ ନାହିଁ ବୋଲି ଆୱାଜ୍ ନେଟ୍‌ୱର୍କର କର୍ମୀ ଓସ୍କାର ସୋରିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର