ଲକ୍‌ଡାଉନ୍‌ ସତ୍ତ୍ବେ କିଭଳି ଚାଲିଥିଲା ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନାକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ଦିଲ୍ଲୀର ନିଜାମୁଦ୍ଦିନ୍‌ ହରକଜ ମସ୍‌ଜିଦ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ମସ୍‌ଜିଦ୍‌ରେ ଅନୁଷ୍ଠିତ ଧାର୍ମିକ କାର୍ଯ୍ୟକ୍ରମରେ ଭାରତ ସମେତ ୧୬ଟି ରାଷ୍ଟ୍ରରୁ ହଜାର ହଜାର ଲୋକ ଯୋଗ ଦେଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମ ପାଇଁ ଭାରତରେ ଭାଇରସ୍‌ର ଚେର ଲମ୍ବିଛି। ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟର ଲୋ‌କେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ତେବେ ଲକ୍‌ଡାଉନ୍‌ ସତ୍ତ୍ବେ କିଭଳି ଏହି କାର୍ଯ୍ୟକ୍ରମ ଚାଲିଥିଲା ସେନେଇ ପ୍ରଶ୍ନ ଉଠିଛି। ଏହାର ଏକ ସମ୍ପୂର୍ଣ୍ଣ ଘଟଣାକ୍ରମ-

ମାର୍ଚ୍ଚ ୧୩: ନିଜାମୁଦ୍ଦିନ୍‌ ମରକଜ୍‌ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପ୍ରାୟ ୩,୪୦୦ ଲୋକ ଏକଜୁଟ୍‌ ହୋଇଥିଲେ। କୌଣସି ଧାର୍ମିକ, ସାମାଜିକ କିମ୍ବା ରାଜନୈତିକ କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ଏକଜୁଟ୍‌ ହେବେନାହିଁ ବୋଲି ଦିଲ୍ଲୀ ସରକାର ଯେଉଁଦିନ ନିର୍ଦ୍ଦେଶ ଦେଇଥିଲେ‌ ସେହିଦିନ ହିଁ ଏହି ଧାର୍ମିକ ସମ୍ମିଳନୀ ଆରମ୍ଭ ହୋଇଥିଲା।
ମାର୍ଚ୍ଚ ୧୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୁଣି ଏକ ଘୋଷଣା କରି କହିଥିଲେ କୌଣସି ବି ସ୍ଥାନରେ ୫୦ରୁ ଅଧିକ ଲୋକ ରୁଣ୍ଡ ହେବେନି। ଏହା ସତ୍ତ୍ବେ ମରକଜ୍‌ରେ ହଜାର ହଜାର ଲୋକ ରହିଥିଲେ।
ମାର୍ଚ୍ଚ ୨୦: ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ୧୦ ଜଣ ଇଣ୍ଡୋନେସିଆ ନାଗରିକ ତେଲେଙ୍ଗାନାରେ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ।
ମାର୍ଚ୍ଚ ୨୨: ଜନତା କର୍ଫ୍ୟୁ।
ମାର୍ଚ୍ଚ ୨୩: ୧୫୦୦ ଲୋକ ଅତି ଅସୁରକ୍ଷିତ ଏବଂ ବେଆଇନ ଭାବେ ମରକଜ୍‌ ଛାଡ଼ିଲେ ।

ମାର୍ଚ୍ଚ ୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କଲେ।
ମାର୍ଚ୍ଚ ୨୫: ପ୍ରାୟ ୧୦୦୦ ଲୋକ ମରକଜ୍‌‌ରେ ଥିଲେ। ଜମାତ୍‌ ଅଧିକାରୀମାନେ ଏହି କର୍ମୀଙ୍କୁ ସ୍ଥାନାନ୍ତର ପାଇଁ ଏସଡିଏମ୍‌ ଅଫିସ ଯାଇଥିଲେ।
ମାର୍ଚ୍ଚ ୨୬: କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ମୌଲାନା ଶ୍ରୀନଗରରେ ଭାଇରସ୍‌ ଆକ୍ରାନ୍ତ ହେଲେ।
ମାର୍ଚ୍ଚ ୨୭: ୬ କରୋନା ସନ୍ଦିଗ୍ଧଙ୍କୁ ମରକଜ୍‌ରୁ ମେଡିକାଲ୍‌ ଚେକଅପ୍‌ ପାଇଁ ନିଆଗଲା। ପରେ ସେମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଗଲା।
ମା‌ର୍ଚ୍ଚ ୨୮: ଏସଡିଏମ୍‌ ଏବଂ ଡବ୍ଲ୍ୟୁଏଚ୍‌ଓ ଟିମ୍‌ଙ୍କ ମରକଜ୍‌ ଗସ୍ତ। ଟେଷ୍ଟିଂ ପାଇଁ ନିଆଯାଇଥିବା ୩୩ ଜଣଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଗଲା। ମର୍କଜ୍‌ ଖାଲି ପାଇଁ ଲଜପତ ନଗର ଏସିପି ନୋଟିସ୍‌ ପଠାଇଲେ।
ମାର୍ଚ୍ଚ ୨୯: ଦିଲ୍ଲୀ ପୁଲିସ ଏବଂ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମରକଜର ଲୋକମାନଙ୍କ ସହ କଥା ହେଲେ ଏବଂ ସେମାନଙ୍କୁ କ୍ବାରାଣ୍ଟିନ୍‌କୁ ପଠାଇଲେ
ମାର୍ଚ୍ଚ ୩୧: ୧୫୪୮ ଲୋକଙ୍କୁ ନିଜାମୁଦ୍ଦିନ୍‌ ମରକଜ୍‌ରୁ ଖାଲି କରାଗଲା।

ସମ୍ବନ୍ଧିତ ଖବର