ଦେଶ ସ୍ତବ୍ଧ: କେମିତି ହେଲା ଦୁର୍ଘଟଣା

ଖରାପ ପାଗ ଯୋଗୁଁ କିଛି ଦୃଶ୍ୟମାନ ହେଉନଥିଲା

ନୂଆଦିଲ୍ଲୀ: ହେଲିକପ୍‌ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଛି। ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ରାୱତଙ୍କ ହେଲିକପ୍ଟର ଏକ ଗଛରେ ପିଟି ହେବାପରେ ଜଳି ଯାଇଥିଲା। ଦୁର୍ଘଟଣା ବାବଦରେ କ୍ରୀଷ୍ଣାସ୍ବାମୀ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି।

ସେ କହିଛନ୍ତି, ପ୍ରଥମେ ଖୁବ୍‌ ଜୋର୍‌ରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା। କ’ଣ ଘଟିଲା ତାହା ଦେଖିବା ସମୟରେ ହେଲିକପ୍ଟରଟି ଏକ ଗଛରେ ପିଟି ହୋଇଯାଇଥିଲା। ଜଳନ୍ତା ଅବସ୍ଥାରେ ଏହା ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା। କ୍ରୀଷ୍ଣାସ୍ବାମୀ କହିଛନ୍ତି, ପ୍ରଥମେ ମୁଁ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ଡାକିଥିଲି। ପ୍ରଥମେ ସ୍ଥାନୀୟ ଆଦିବାସୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପରେ ସେନା ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ।

ରାୱତ ୱେଲିଙ୍ଗଟନ୍‌ର ଡିଫେନ୍ସ ଷ୍ଟାଫ୍‌ କଲେଜରେ ଏକ ସମାରୋହରେ ଯୋଗ ଦେବାକୁ ଯାଉଥିଲେ ଏବଂ ମାତ୍ର କିଛି ମିନିଟ୍‌ ପରେ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତେ। ପ୍ରଥମେ ରାୱତ ଏବଂ ତାଙ୍କ ପତ୍ନୀ ଆଜି ସକାଳୁ ଦିଲ୍ଲୀରୁ ତାମିଲନାଡ଼ୁର ସୁଲୁରକୁ ଯାତ୍ରା କରିଥିଲେ। ବିମାନଟି ଅପରାହ୍ନ ପ୍ରାୟ ୧୨:୨୨ରେ ନିଖୋଜ ହୋଇଯାଇଥିଲା। କନୁରଠାରୁ ୭ କିମି ଦୂର କାଟେରି ନିକଟସ୍ଥ ଏକ ଚା’ ଇଷ୍ଟେଟ୍‌ ନିକଟରେ ଥିବା ଜଙ୍ଗଲ ପରିବେଷ୍ଟିତ ଖାଇ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା।

ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲିକପ୍ଟରରେ ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ବ୍ରିଗେଡିୟର ଏଲଏସ ଲିଡର, ଲେପ୍ଟନାଣ୍ଟ କର୍ନେଲ ହରଜିନ୍ଦର ସିଂହ, ନାଏକ ଗୁରସେୱକ ସିଂହ, ଜିତେନ୍ଦ୍ର କୁମାର, ବିବେକ କୁମାର, ବି ସାଇ ତେଜ, ହାବିଲଦାର ସତ୍‌ପାଲ ଏବଂ ପାଇଲଟ୍‌ମାନେ ଯାତ୍ରା କରୁଥିଲେ। ଆସନ୍ତାକାଲି ରାୱତଙ୍କ ମରଶରୀର ଦିଲ୍ଲୀରେ ପହଞ୍ଚିବ ଏବଂ ସେଠାରେ ଶେଷକୃତ୍ୟ ସଂପନ୍ନ ହେବ।

୨୦୧୫ରେ ଅନ୍ୟ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ରାୱତ

ହେଲିକପ୍‌ଟର ଦୁର୍ଘଟଣାରେ ଆଜି ପ୍ରାଣ ହରାଇଥିବା ସିଡିଏସ୍‌ (ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌) ଜେନେରାଲ ବିପିନ ରାୱତ ୬ ବର୍ଷ ପୂ‌ର୍ବେ ଏକ ବଡ଼ ହେଲିକପ୍‌ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ୨୦୧୫ ଫେବ୍ରୁଆରି ୩ ତାରିଖରେ ନାଗାଲାଣ୍ଡର ଦିମାପୁରରେ ରାୱତଙ୍କ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ ଜେନେରାଲ ରାୱତ ଏବଂ ଅନ୍ୟ ୩ ଜଣ ସେନା ସଦସ୍ୟ ଏକ ଚିତା ହେଲିକପ୍ଟରରେ ଉଡ଼ାଣ ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ନାଗାଲାଣ୍ଡ ଦିମାପୁରର ରାବଗପାହାର ହେଲିପ୍ୟାଡ୍‌ରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର କିଛି ସେକେଣ୍ଡ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। କିନ୍ତୁ ରାୱତଙ୍କର ଏଥିରେ ବିଶେଷ କିଛି କ୍ଷତି ହୋଇନଥିଲା। ସେ ସାମାନ୍ୟ ଆହତ ହୋଇଥିଲେ। ସେ ସମୟରେ ରାୱତ ଲେପ୍ଟନାଣ୍ଟ ଜେନେରାଲ ଥିଲେ।

ସମ୍ବନ୍ଧିତ ଖବର