ଅମୃତସର: ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ପାକିସ୍ତାନ ଓ ପିଓକେ ଭିତରେ ୯ଟି ଆତଙ୍କବାଦୀ ଶିବିରକୁ ଭାରତ ଧ୍ବଂସ କରିଦେଇଥିଲା। ଏହାର ଜବାବରେ ପାକିସ୍ତାନ ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦ୍ବାରା ଭୀଷଣ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା। ପଞ୍ଚଦଶ ପଦାତିକ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି ସୋମବାର ପ୍ରକାଶ କରିଛନ୍ତି ଯେ ଆମ ସେନାର ଏୟାର୍ ଡିଫେନ୍ସ ସମସ୍ତ ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଖସାଇ ଦେଇଥିଲା। ମେଜର ଜେନେରାଲ କହିଛନ୍ତି, ସ୍ବର୍ଣ୍ଣ ମନ୍ଦିର ଭଳି ଧାର୍ମିକ ସ୍ଥଳ ସମେତ ଭାରତର ବେସାମରିକ ଓ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ପାକିସ୍ତାନ ଟାର୍ଗେଟ୍ କରିପାରେ ବୋଲି ଭାରତୀୟ ସେନା ଅନୁମାନ କରି ଆଗୁଆ ସୁରକ୍ଷା ପଦକ୍ଷେପ ନେଇଥିଲା।
ସ୍ବର୍ଣ୍ଣ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଆଧୁନିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଥିଲା। ମେ ୮ ତାରିଖରେ ଡ୍ରୋନ୍ ଓ ଦୂରଗାମୀ କ୍ଷେପଣାସ୍ତ୍ର ସହ ପାକିସ୍ତାନ ବିମାନ ଆକ୍ରମଣ କରିଥିଲା। ଆମର ସତର୍କ ଏୟାର୍ ଡିଫେନ୍ସ ବ୍ୟବସ୍ଥା ଓ ଆମ ଗନର୍ମାନଙ୍କ ସାମର୍ଥ୍ୟ ଯୋଗୁଁ ପାକିସ୍ତାନ ସେନାର ଘୃଣ୍ୟ ଉଦ୍ଦେଶ୍ୟ ବିଫଳ ହୋଇଥିଲା । ତେଣୁ ଆମ ପବିତ୍ର ସ୍ବର୍ଣ୍ଣ ମନ୍ଦିରରେ ସାମାନ୍ୟତମ ଆଘାତ ଲାଗି ନ ଥିଲା। ଅପରପକ୍ଷେ ପାକିସ୍ତାନ ସେନାର ଏହି ଆକ୍ରମଣର ଜବାବରେ ତା’ର ଅନେକ ସାମରିକ ପ୍ରତିଷ୍ଠାନ ଓ ବାୟୁସେନା ଘାଟିକୁ ଭାରତ କ୍ଷେପଣାସ୍ତ୍ର ଓ ବୋମାମାଡ଼ କରି ଉଡ଼ାଇ ଦେଇଛି। ୪ ଦିନ ଧରି ଚାଲିଥିବା ଏହି ସଂଘର୍ଷରେ ପାକିସ୍ତାନ ବାୟୁସେନାର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ମେଜର ଜେନେରାଲ େଶଷାଦ୍ରି କହିଛନ୍ତି।