ଭାରତର କରୋନା ଲଢ଼େଇ, ୬ ମାସରେ କିଭଳି ବଦଳିଲା ମୋଦୀ ସରକାରଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି। କରୋନା ସଂକ୍ରମଣ ମାମଲାରେ ଭାରତ ଏବେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ତେବେ କରୋନାକୁ ୨୧ ଦିନରେ ହରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଯେଉଁ ବାର୍ତ୍ତା ଦେଇଥିଲେ ତାହା କିଭଳି ୬ ମାସରେ ସଂପୂର୍ଣ୍ଣ ବଦଳିଯାଇଛି ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ମାର୍ଚ୍ଚ ୨୫ ଦେଶବ୍ୟାପୀ ଲକ୍‌ଡାଉନ୍‌ ଆରମ୍ଭ ହେବାର ପ୍ରଥମ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ମହାଭାରତ ଯୁଦ୍ଧରେ ବିଜୟ ୧୮ ଦିନରେ ଆସିଥିଲା। ଆଜି ସମଗ୍ର ଦେଶ କରୋନା ସଙ୍କଟ ସହ ଲଢ଼ୁଛି। ଆମ‌କୁ ୨୧ ଦିନରେ ଏହି ଯୁଦ୍ଧ ଜିତିବାକୁ ପଡ଼ିବ ବୋଲି ମୋଦୀ କହିଥିଲେ। କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ବେ ଦେଶରେ ସଂକ୍ରମଣ ବଢ଼ିଚାଲିଲା। ତବ୍‌ଲିଗି ଜମାତ୍‌ କାର୍ଯ୍ୟକ୍ରମ ପାଇଁ ଦେଶରେ ସଂକ୍ରମଣ ବଢ଼ିଲା ବୋଲି ଦାବି କରାଯାଇଛି। ନିକଟରେ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ଏହି ଦାବି କରାଯାଇଥିଲା। ତେବେ ମହାମାରୀର କିଛି ମାସ ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ବନ୍ଦ କରିଦେଲେ ଏବଂ ପରେ କରୋନା ଲଢ଼େଇ କଟକଣା ସଂକ୍ରାନ୍ତ ସମୟସୀମା ନେଇ କିଛି କହିନଥିଲେ।

ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଲୋକମାନଙ୍କର ଦାୟିତ୍ବହୀନତା ପାଇଁ ସଂକ୍ରମଣ ବଢ଼ିଛି। କୁହାଯାଉଛି ଯେ, ଗତ ୬ ମାସ ଧରି ମୋଦୀ ସରକାର ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା ସେତେ ଭଲ ପ୍ରଭାବ ପକାଇନି। ସରକାର ଯେଉଁ ଦାବି କରୁଛନ୍ତି ‌ସେନେଇ କୌଣସି ବିଶ୍ବାସଜନକ ତଥ୍ୟ ରଖୁନାହାନ୍ତି। ଉଦାହରଣ ସ୍ବରୂପ ସରକାର ନିକଟରେ ସଂସଦରେ ସୂଚନା ଦେଇ କହିଥିଲେ ଯେ, ଲକ୍‌ଡାଉନ୍‌ ଯୋଗୁଁ ୨୯ ଲକ୍ଷ ସଂକ୍ରମଣକୁ ରୋକି ହୋଇଛି। କିନ୍ତୁ ଆଗାମୀ ମାସରେ ଦେଶର ସଂକ୍ରମଣ ମାମଲା କେତେ ରହିବ ସେନେଇ କୌଣସି ଆକଳନ କରାଯାଉନି। ଅନ୍ୟପକ୍ଷେ ନିତି ଆୟୋଗର ଡାକ୍ତର ଭିକେ ପାଉଲ୍‌ କହିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ଏବଂ ଶୀତ ଆସୁଥିବାରୁ କରୋନା ସଂକ୍ରମଣ ଅତି ଭୟଙ୍କର ରୂପ ଧାରଣ କରିବ। ହେଲେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଉନି। ବର୍ତ୍ତମାନ ସରକାର କୋଭିଡ୍‌ ମୃତ୍ୟୁହାର ଏବଂ ଆରୋଗ୍ୟ ହାରକୁ ନେଇ କେବଳ ଆକଳନ କରୁଛନ୍ତି। କରୋନା ମୃତ୍ୟୁହାର ବିଶ୍ବରେ ସବୁଠୁ କମ୍‌ ବୋଲି ସରକାର କହୁଛନ୍ତି। ଦୈନିକ ଟେଷ୍ଟିଂ ସରକାର ବଢ଼ାଇଛନ୍ତି। କିନ୍ତୁ ବାସ୍ତବରେ ଅନ୍ୟ ରାଷ୍ଟ୍ର ଅପେକ୍ଷା ଭାରତର ଟେଷ୍ଟିଂ କମ୍‌ ରହିଛି। ପ୍ରତି ୧୦ ଲକ୍ଷରେ ଭାରତରେ ୪୯ ହଜାର ୮୩୪ କୋଭିଡ୍‌ ଟେଷ୍ଟ ହେଉଛି। ଯାହା ବ୍ରାଜିଲ୍‌, ରୁଷ୍‌ କଲମ୍ବିଆ ଏବଂ ପେରୁଠାରୁ କମ୍‌।

ସମ୍ବନ୍ଧିତ ଖବର