ନୂଆଦିଲ୍ଲୀ: ଇରାନ ସହିତ ରାଷ୍ଟ୍ର ଆକ୍ରମଣ କରୁଥିବା ସମୟରେ ଇସ୍ରାଏଲ ପଛରେ ଯୁକ୍ତରାଷ୍ଟ୍ର ଠିଆ ହୋଇଛି।ଇସ୍ରାଏଲ୍ ଓ ଇରାନ ମଧ୍ୟରେ ସଂଘର୍ଷ ସପ୍ତମ ଦିନରେ ପହଂଚିଥିବା ବେଳେ ଉଭୟ ଦେଶ ଗୁରୁବାର ପରସ୍ପର ବିରୋଧରେ ଘନଘୋର ଆକ୍ରମଣ ଜାରି ରଖିଛନ୍ତି। ଇରାନ ଗୁରୁବାର ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଛି।
ଏପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷରେ ଆମେରିକାର ସମ୍ଭାବ୍ୟ ସମ୍ପୃକ୍ତି ଉପରେ ବିଚାର କରୁଛନ୍ତି ଏବଂ ସେହି ଆଧାରରେ ପ୍ରସ୍ତୁତି ପଦକ୍ଷେପ ନେଉଛନ୍ତି। ହେଲେ ଏବେ ଇରାନ୍ କେବଳ ଇସ୍ରାଏଲ୍ ସହ ଯୁଦ୍ଧ କରୁନାହିଁ ବରଂ ଅନ୍ୟ ଏକ ଦିଗରେ ମଧ୍ୟ ସଂଘର୍ଷ କରୁଛି । ଯୁଦ୍ଧଭଳି ଘଡ଼ିସନ୍ଧି ସମୟରେ ଇରାନର ହାତ ଛାଡ଼ି ଦେଇଛନ୍ତି ସହଯୋଗୀ ।
ଇସ୍ରାଏଲ୍ ଓ ଇରାନ୍ ପରମ ଶତ୍ରୁ ରାଷ୍ଟ୍ର । ଇସ୍ରାଏଲ୍ ବିରୋଧରେ ଲଗାତର ଭାବେ ଇରାନ୍ ଛାୟା ଯୁଦ୍ଧ ଚଳାଇ ଆସୁଥିଲା । ଏଥିପାଇଁ ପଡ଼ୋଶୀ ଦେଶମାନଙ୍କରେ ବିଭିନ୍ନ ସାମରିକ ସଂଗଠନକୁ ଅସ୍ତ୍ରଶସ୍ତ୍ର ଓ ତାଲିମ ଯୋଗାଇ ଆସୁଥିଲା ଇରାନ୍ । ଲେବାନନର ହିଜବୁଲ୍ଲା, ପାଲେଷ୍ଟାଇନର ହମାସ୍, ୟେମେନର ହୁତି ପରି ସଂଗଠନକୁ ବର୍ଷ ବର୍ଷ ଧରି ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇଆସୁଥିଲା ଇରାନ୍ । ଏହି ସଂଗଠନ ଇସ୍ରାଏଲ ବିରୋଧରେ କାର୍ଯ୍ୟକଳାପ ଜାରି ରଖିଥିଲେ । ଏପରିକି ହମାସ୍ ବିରୋଧରେ ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ କରିବା ପରେ ହିଜବୁଲ୍ଲା ଓ ହୁତି ସକ୍ରିୟ ହୋଇ ଉଠିଥିଲେ । ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲେ ।
ହେଲେ ଇସ୍ରାଏଲ୍ ଏହାର ପାଲଟା ଜବାବ ଦେଇ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପରିକି ହିଜବୁଲ୍ଲାର ସର୍ବୋଚ୍ଚ ନେତା ଇସ୍ରାଏଲ୍ ଆକ୍ରମଣରେ ନିହତ ହୋଇଥିଲେ । ହେଲେ ଏବେ ଯେତେବେଳେ ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ଲଢୁଛନ୍ତି, ସେତେବେଳେ ଏହି ସହଯୋଗୀ ମାନେ ଏକଦମ୍ ନୀରବ ରହିଥିବା ଦେଖିବାକୁ ମିଳୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/20/b756b314-bab7-416e-bca8-9ba1d1e82d9c-2025-06-20-14-00-37.jpg)