ଆମ ପାଖେ ଟଙ୍କା ନାହିଁ, ବିଜେପିକୁ କେମିତି ମୁକାବିଲା କରିବୁ?

ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗ ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ମୋଟ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଉତ୍ତରପ୍ରଦେଶରେ ଫେବ୍ରୁଆରି ୧୦ରେ ଭୋଟ ଗ୍ରହଣ ହେବ । ୨ୟ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୧୪, ୩ୟ ପର୍ଯ୍ୟାୟ ମତଦାନ ଫେବ୍ରୁଆରି ୨୦ , ୪ର୍ଥ ପର୍ଯ୍ୟାୟ ମତଦାନ ୨୩ ଫେବ୍ରୁଆରି, ୫ମ ପର୍ଯ୍ୟାୟ ମତଦାନ ୨୭ ଫେବ୍ରୁଆରି, ୬ଷ୍ଠ ଓ ୭ମ ପର୍ଯ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ନିର୍ବାଚନୀ ସଭା, ରାଲି, ରୋଡ ସୋ, ପଦଯାତ୍ରା, ସାଇକେଲ ବା ବାଇକ ଆଦି କରିପାରିବେ ନାହିଁ ବୋଲି ଆୟୋଗ କଟକଣା ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଚଳିତ ଥର ପାରମ୍ପରିକ ଜନସଭା ଅପେକ୍ଷା ଭର୍ଚୁଆଲ ଜନସଭା, ଜିଜିଟାଲ ପ୍ରଚାର ଉପରେ ଗୁରୁତ୍ବ ଦେବାକୁ ଆୟୋଗ ରାଜନୈତିକ ଦଳମାନଙ୍କୁ ନିବେଦନ କରିଛନ୍ତି । ତେବେ ଏହାକୁ ନେଇ ଖପ୍ପା ହୋଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ | ଅଖିଳେଶ କହିଛନ୍ତି ଯେ ଯଦି ଆମେ ଭର୍ଚୁଆଲ ରାଲି ବିଷୟରେ ଆଲୋଚନା କରୁ, ତେବେ ଦଳଗୁଡିକ ବିଷୟରେ ଆୟୋଗ ମଧ୍ୟ ଚିନ୍ତା କରିବା ଉଚିତ। ଭର୍ଚୁଆଲ୍ ରାଲି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ । ଅଖିଳେଶ ଯାଦବ କହିଛନ୍ତି, “ନିର୍ବାଚନ ଆୟୋଗ ଟିଭିରେ ବିରୋଧୀ ଦଳକୁ ଅଧିକ ସମୟ ଦେବା ଉଚିତ ଏବଂ ଏହାକୁ ମାଗଣାରେ ଦିଆଯିବା ଉଚିତ।

ବିଜେପି ପାଖରେ ଖୁବ ଉନ୍ନତ ଭିତ୍ତିଭୂମି ରହିଛି’। ଅଖିଳେଶ ଯାଦବ କହିଛନ୍ତି ” ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକୁ କିଛି ପାଣ୍ଠି ଦିଅନ୍ତୁ, ଯାହା ଦ୍ୱାରା ସେମାନେ ପାଦେ ଆଗକୁ ଯାଆନ୍ତୁ, ଭିତ୍ତିଭୂମି ସୃଷ୍ଟି କରନ୍ତୁ କାରଣ ଆମେ ବିଜେପି ଭିତ୍ତିଭୂମି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ ନାହିଁ | ସେଥିପାଇଁ ଆମେ ନିବେଦନ କରୁଛୁ ଯେ ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କୁ କିଛି ପାଣ୍ଠି ଦେବା ଉଚିତ, ଯାହା ଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପି ଭଳି ଦୃଢ ନଥିବା ସମସ୍ତ ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। “

ସମ୍ବନ୍ଧିତ ଖବର