ଦ୍ରୌପଦୀ ନା ଯଶୋବନ୍ତ କିଏ ଅକ୍ତିଆର କରିବେ ରାଇସିନା ହିଲ? ଜାଣନ୍ତୁ, କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଗଣନା

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନା ଯଶୋବନ୍ତ ସିହ୍ନା? କିଏ ଅକ୍ତିଆର କରିବେ ରାଇସିନା ହିଲର ରାଷ୍ଟ୍ରପତି ଭବନ ? ଏ ପ୍ରଶ୍ନର ଉତ୍ତର ମିଳିଯିବ ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ସୁଦ୍ଧା। କାରଣ, ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣନା ଗୁରୁବାର ପୂର୍ବାହ୍ନରୁ ସଂସଦ ଭବନରେ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ବାହାରି ଯିବ ବୋଲି ଆଶା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କିପରି ହୁଏ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣନା…

– ପ୍ରଥମେ, ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍‌ଗୁଡ଼ିକର ସର୍ଟିଂ ଏବଂ ଯାଞ୍ଚ କରାଯିବ।

– ସାଂସଦମାନେ ସବୁଜ କଲମ ବ୍ୟବହାର କରି ବାଲଟ ପେପରରେ ପ୍ରାର୍ଥୀଙ୍କ ପାଇଁ ସେମାନଙ୍କର ପସନ୍ଦର ଭୋଟ ଲେଖିଥିବା ବେଳେ ବିଧାୟକମାନେ ଗୋଲାପୀ କଲମ ବ୍ୟବହାର କରିଥିବେ। ତାହା ସର୍ଟିଂ କରାଯିବ।

– ଟେବୁଲ ଉପରେ ଦୁଇଟି ଟ୍ରେ ରହିବ। ଗୋଟିଏ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏବଂ ଅନ୍ୟଟି ଯଶୋବନ୍ତ ସିହ୍ନାଙ୍କ ପାଇଁ।

– ବିଧାୟକମାନଙ୍କର ବାଲାଟ୍‌ ପେପର ପ୍ରଥମେ ଏବଂ ପରେ ସାଂସଦମାନଙ୍କ ବାଲାଟ ପେପରକୁ ସର୍ଟିଂ କରାଯିବ।

– ପ୍ରଥମେ ଶ୍ରୀମତୀ ମୁର୍ମୁଙ୍କ ନାମ ତାଲିକାଭୁକ୍ତ କରୁଥିବା କାଗଜପତ୍ରଗୁଡିକ ତାଙ୍କ ଟ୍ରେରେ ରଖାଯିବ, ଏବଂ ଶ୍ରୀ ସିହ୍ନାଙ୍କ ପାଇଁ ତାଙ୍କ ଟ୍ରେରେ ରହିବ।

– ପ୍ରତ୍ୟେକ ସାଂସଦଙ୍କ ଭୋଟର ମୂଲ୍ୟ ୭୦୦ ସ୍ଥିର ହୋଇଥିବାବେଳେ ଜଣେ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ସଂପୃକ୍ତ ବିଧାୟକଙ୍କ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରିବ।

– ସର୍ଟିଂ ସମାପ୍ତ ହେବା ପରେ ଭୋଟ୍‌ ଗଣନା ଆରମ୍ଭ ହେବ।

– ସଂସଦ ଭବନର ରୁମ୍‌ ନମ୍ବର ୭୩ ବାହାରେ ଏକ ମିଡିଆ ଷ୍ଟାଣ୍ଡ ସ୍ଥାପନ କରାଯାଇଛି। ଭୋଟ ଗଣନା ଆରମ୍ଭ ହେବା ପରେ ସେଠାରେ ଟ୍ରେଣ୍ଡ ପ୍ରଦାନ କରାଯିବ।

– ରାଷ୍ଟ୍ରପତି ନିର୍ବାଚନର ବିଜେତା ପ୍ରାର୍ଥୀ ସିଏ ନୁହନ୍ତି ଯିଏ ସର୍ବାଧିକ ଭୋଟ୍‌ ପାଆନ୍ତି, କିନ୍ତୁ ଯିଏ ଏକ ନିର୍ଦ୍ଦିଷ୍ଟ କୋଟା ଅପେକ୍ଷା ଅଧିକ ଭୋଟ୍‌ ପାଆନ୍ତି ସିଏ ବିଜୟୀ ହୁଅନ୍ତି। ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ମତଦାନ ହୋଇଥିବା ଭୋଟ୍‌ ଯୋଡି, ରାଶିକୁ ଦୁଇ ଭାଗ କରି ଏବଂ ଏଥିରେ ‘୧’ ଯୋଡି କୋଟା ନିର୍ଦ୍ଧାରଣ କରାଯାଏ ଏହି ମୂଲ୍ୟଠାରୁ ଅଧିକ ଭୋଟ୍‌ ପାଇଥିବା ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରାଯାଏ।

ସମ୍ବନ୍ଧିତ ଖବର