ଲକ୍ଷ୍ନୌ: ଦୀର୍ଘ ୨୮ ବର୍ଷ ପରେ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାର ରାୟ ଆସିଛି। ଦୀର୍ଘ ଦିନର ତଦନ୍ତ ଏବଂ ବିଚାରଣ ପରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଆସିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ବାବ୍ରି ମସଜିଦ୍‌ ହେଉଛି ମୋଗଲ୍‌ ସମୟର ଏକ ମସଜିଦ୍‌। ଅଯୋଧ୍ୟାର ରାମ ଜନ୍ମଭୂମି ସ୍ଥଳ ପରିସରରେ ଏହି ମସଜିଦ୍‌ ରହିଥିଲା। କମାଣ୍ଡର ମିର୍‌ ବାକିଙ୍କ ଦ୍ବାରା ନିର୍ମାଣ ହୋଇଥିଲା ବାବ୍ରି ମସଜିଦ୍‌। ତେବେ ବାବ୍ରି ମସଜିଦ୍‌ ସଠିକ୍‌ ଭାବେ କେବେ ନିର୍ମାଣ ହୋଇଥିଲା ସେନେଇ ସଠିକ୍‌ ତଥ୍ୟ ଏଯାବତ୍‌ ମିଳିନାହିଁ। ନିର୍ମାଣ ତାରିଖକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। କିଛି ଐତିହାସିକ ବାବର୍‌ଙ୍କ ସମୟରେ ବାବ୍ରି ମସଜିଦ୍‌ ନିର୍ମାଣ ହୋଇନାହିଁ ବରଂ ଔରଙ୍ଗଜେବ୍‌ଙ୍କ ସମୟରେ ବାବ୍ରି ମସଜିଦ୍‌ ନିର୍ମାଣ ହୋଇଥିଲା ବୋଲି ମତ ରଖିଛନ୍ତି। ତେବେ ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନେ ଦାବି କରିଥିଲେ ଯେ, ଶ୍ରୀରାମଙ୍କ ଜନ୍ମସ୍ଥାନରେ ମନ୍ଦିରକୁ ଭାଙ୍ଗି ଏଠାରେ ମସଜିଦ୍‌ ନିର୍ମାଣ କରାଯାଇଥିଲା। ଏହି କାରଣ ପାଇଁ ବାବ୍ରି ମସଜିଦ୍‌ ବିବାଦୀୟ ଥିଲା। ଡିସେମ୍ବର ୬, ୧୯୯୨ରେ ବାବ୍ରି ମସଜିଦ୍‌କୁ କରସେବକମାନେ ଧ୍ବଂସ କରିଦେଇଥିଲେ। ଉତ୍ତରପ୍ରଦେଶର ଫୈଜାବାଦ୍‌ ଜିଲ୍ଲାରେ ଡି‌ସେମ୍ବର ୬ ତାରିଖରେ ଲକ୍ଷାଧିକ କରସେବକ ସମତେ ହୋଇଥିଲେ। ସେମାନେ ବାବ୍ରି ମସଜିଦ୍‌କୁ ସଂପୂର୍ଣ୍ଣ ଧ୍ବସ୍ତ କରିଦେଇଥିଲେ।। ବାବ୍ରି ମସଜିଦ୍‌ରେ ୩ଟି ଗମ୍ବୁଜ ଥିଲା। କରସେବକମାନେ କେନ୍ଦ୍ରୀୟ ଗମ୍ଭୁଜରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ବୋଲି ବିଶ୍ବାସ କରୁଥିଲେ। ଡିସେମ୍ବର ୬ ତାରିଖ ଅପରାହ୍ନ ସୁଦ୍ଧା ବାବ୍ରି ମସଜିଦ୍‌କୁ ସେମାନେ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଥିଲେ।

Advertisment

ଲକ୍ଷ୍ନୌ: ବାବ୍ରି ମସଜିଦ୍‌ ଧ୍ବଂସ ହେବାଦିନ ତଥା‌ ଡିସେମ୍ବର ୬, ୧୯୯୨ରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଗୋଟିଏ ହେଉଛି କ୍ରାଇମ୍‌ (ଅପରାଧ) ନମ୍ବର ୧୯୭/୧୯୯୨ ଏବଂ ଅନ୍ୟଟି ହେଉଛି ୧୯୮/୧୯୯୨। ଅଯୋଧ୍ୟାର ରାମ ଜନ୍ମଭୂମି (ଆର୍‌ଜେବି) ଥାନାରେ ଏହି ୨ଟି ପୃଥକ୍‌ ଏତଲା ରୁଜୁ ହୋଇଥିଲା। ତଦନ୍ତ ପ୍ରକ୍ରିୟାରେ ଅନ୍ୟ ୪୭ଟି ଏଫ୍‌ଆଇଆର ରୁଜୁ ହୋଇଥିଲା। କେସ୍‌ ନମ୍ବର ୧୯୭/୧୯୯୨ : ଡିସେମ୍ବର ୬, ୧୯୯୨ରେ ବାବ୍ରି ମସଜିଦ୍‌ ଧ୍ବଂସ ପରେ ପ୍ରଥମ ଏଫଆଇଆର ଆର୍‌ଜେବି ଥାନାର ଏସ୍‌ଏଚ୍‌ଓ ପି ଏନ୍‌ ଶୁକ୍ଳା ଅପରାହ୍ନ ୫.୧୫ ସମୟରେ ରୁଜୁ କରିଥିଲେ। ଲକ୍ଷାଧିକ ଅଜ୍ଞାତ କରସେବକଙ୍କ ବିରୋଧରେ ଏହି ଏତଲା ଆଇପିସିର ଧାରା ୩୯୫, ୩୯୭, ୩୩୨, ୩୩୭, ୩୩୮, ୨୯୫,୨୯୭, ୧୫୩-ଏ ଅଧୀନରେ ରୁଜୁ ହୋଇଥିଲା।

କେସ୍‌ ନମ୍ବର ୧୯୮/୧୯୯୨ : ସେହି ସମାନ ଦିନ ଆର୍‌ଜେବି ପୁଲିସ ଫାଣ୍ଡି ଇନ୍‌ଚାର୍ଜ‌୍ ଗଙ୍ଗା ପ୍ରସାଦ ତିୱାରୀଙ୍କ ଦ୍ବାରା ସନ୍ଧ୍ୟା ୫.୨୫ ସମୟରେ ମାମଲାରେ ଦ୍ବିତୀୟ ଏଫ୍‌ଆଇଆର ରୁଜୁ ହୋଇଥିଲା। ତିୱାରୀ କହିଥିଲେ, ସକାଳ ପ୍ରାୟ ୧୦ ଟା ସମୟରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ କର ସେବା କାର୍ଯ୍ୟକ୍ରମ ନିକଟରେ ସେ ଡ୍ୟୁଟିରେ ଥିବା ସମୟରେ ଲାଲ୍‌ କୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ଅଶୋକ ସିଂଘଲ୍‌, ବିନୟ କଟିୟାର, ଗିରିରାଜ କିଶୋର, ବିଷ୍ଣୁ ହରି ଡାଲ୍‌ମିୟା, ଉମା ଭାରତୀ ଏବଂ ସାଧ୍ବୀ ରିତାମ୍ବରାଙ୍କୁ ରାମ କଥା କୁଞ୍ଜ ମଞ୍ଚରେ ଦେଖିଥିଲେ। ସେମାନେ ଭାଷଣ ଦ୍ବାରା କରସେବକଙ୍କୁ ଉତ୍ତେଜିତ କରିଥିଲେ। ଫଳସ୍ବରୂପ କରସେବକମାନେ ଏକଜୁଟ୍‌ ହୋଇ ବିବାଦୀୟ ମସଜିଦ୍‌କୁ ଧ୍ବଂସ କରିଦେଇଥିଲେ ବୋଲି ଉଲ୍ଲେଖ କରାଯାଇଥିଲା।