ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପ୍ରକ୍ରିୟା ଦୁଇ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଏହି ଅଭିଯାନରେ ଉଭୟ ଶାସକ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟରେ ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରତି ପର୍ଯ୍ୟାୟରେ ତୀବ୍ର ବାକ୍‌ଯୁଦ୍ଧ ହେବା ଦେଖିବାକୁ ମିଳିଛି। ଉଭୟ ଏନ୍‌ଡିଏ ଓ ବିରୋଧୀ ମେଣ୍ଟ ନିଜନିଜର ‘ଗ୍ୟାରେଣ୍ଟି’ ଘୋଷଣା ମାଧ୍ୟମରେ ପ୍ରଚାର ଅଭିଯାନ ଚଳାଇଥିଲେ। ଦୁର୍ବଳ ବର୍ଗଙ୍କ ସମ୍ପତ୍ତିକୁ ମୁସଲମାନ ସମ୍ପ୍ରଦାୟକୁ ପୁନର୍ବଣ୍ଟନ କରିବା ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଛଡ଼ାଇ ନେଇ ସଂଖ୍ୟାଲଘୁଙ୍କୁ ଦେବା ପାଇଁ କଂଗ୍ରେସର ଖରାପ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ଅଭିଯୋଗ କରିଥିଲା। ସେହିପରି ଶାସକ ଦଳ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ଛଡ଼ାଇ ନେବା ପାଇଁ ସମ୍ବିଧାନରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଗୁରୁବାର ଏହି ପ୍ରଚାର ଅଭିଯାନ ଶେଷ ହୋଇଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୩୧ରେ ଉତ୍ତରପ୍ରଦେଶର ମିରଟରୁ ବିଜେପିର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ସେ ଉପସ୍ଥିତ ଜନତାଙ୍କୁ କହିଥିଲେ, ଆପଣମାନେ ଏପର୍ଯ୍ୟନ୍ତ ବିକାଶର କେବଳ ଟ୍ରେଲର ଦେଖିଛନ୍ତି। ଏହି ନିର୍ବାଚନ କେବଳ ସରକାର ଚୟନ ପାଇଁ ନୁହେଁ, ବରଂ ‘ବିକଶିତ ଭାରତ’ ଗଠନ ପାଇଁ। ଏକ ଦଶନ୍ଧି ପରେ କେନ୍ଦ୍ରରେ କ୍ଷମତାକୁ ଫେରିବାକୁ ଆଗ୍ରହୀ କଂଗ୍ରେସ ଡିସେମ୍ବର ୨୮ରେ ଏହାର ୧୩୮ତମ ପ୍ରତିଷ୍ଠା ଦିବସରେ ନାଗପୁରରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲା। ନ୍ୟାୟପତ୍ର ଶୀର୍ଷକ ଦଳର ନିର୍ବାଚନୀ ଇସ୍ତାହାର ମୁଖ୍ୟତଃ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ପ୍ରେରଣା ନେଇଛି। ଏଥିରେ ୩୦ ଲକ୍ଷ ସରକାରୀ ଚାକିରି ପୂରଣ, ସମସ୍ତ ଗରିବ ପରିବାରର ମହିଳା ମୁଖିଆଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ ଏବଂ ଦେଶବ୍ୟାପୀ ଜାତିଗତ ଜନଗଣନା ପରେ ସଂରକ୍ଷଣ ଉପରୁ ୫୦% ସୀମା ହଟାଇବା ସମେତ ୨୫ଟି ଗ୍ୟାରେଣ୍ଟି ଦିଆଯାଇଥିଲା। ଅନ୍ୟ କେତେକ ଦଳ ମଧ୍ୟ ପୁରୁଣା ଇସ୍ତାହାର ପରିବର୍ତ୍ତେ ଗ୍ୟାରେଣ୍ଟିକୁ ବାଛିଥିଲେ। ତୃଣମୂଳ କଂଗ୍ରେସ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ପ୍ରତ୍ୟାହାର କରିବା ଏବଂ ପଶ୍ଚିମବଙ୍ଗରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଓ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ଅନୁମତି ନ ଦେବା ପାଇଁ ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ଉପରେ ଗୁରୁତ୍ୱାରୋପ କରିବା ସହିତ ପ୍ରତି ପରିବାରକୁ ୧୦ଟି ମାଗଣା ଏଲ୍‌ପିଜି ସିଲିଣ୍ଡର ଏବଂ କୃଷକଙ୍କ ପାଇଁ ନିଶ୍ଚିତ ଏମ୍‌ଏସ୍‌ପି ଏବଂ ଏସ୍‌ସି, ଏସଟି, ଓବିସି ଛାତ୍ରଛାତ୍ରୀ ପାଇଁ ଛାତ୍ରବୃତ୍ତି ପ୍ରଦାନ ଲାଗି ଗ୍ୟାରେଣ୍ଟି ଦେଇଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ବାର୍ଷିକ ୧୦ ନିୟୁତ ସରକାରୀ ଚାକିରି ଏବଂ ୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। କଂଗ୍ରେସଠାରୁ ଶିକ୍ଷା ନେଇ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଇସ୍ତାହାରକୁ ପରିବର୍ତ୍ତନ ପତ୍ର ଭାବେ ଅଭିହିତ କରିଛନ୍ତି।

ଏଥର ବିକାଶ ଓ ହିନ୍ଦୁତ୍ୱକୁ ନେଇ ବିଜେପିର ପ୍ରଚାର ଜୋର ଧରିଥିଲା। ମୋଦୀଙ୍କ ଲୋକପ୍ରିୟତାର ଫାଇଦା ଉଠାଇବା, ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି, ନିର୍ଣ୍ଣାୟକତା ଏବଂ ଜାତି ଓ ଅଞ୍ଚଳରେ ଗ୍ରହଣୀୟତାକୁ ଲୋକଲୋଚନକୁ ଆଣିବା ପାଇଁ ଦଳର ପ୍ରଚାର ପ୍ରସାର କରାଯାଇଥିଲା। ବିଜେପିର ଜାତୀୟ ପରିଷଦ ବୈଠକରେ ମୋଦୀ ଦଳୀୟ ନେତାମାନଙ୍କୁ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଓ ଶାସନ ମଡେଲକୁ ଦଳର ଫାଇଦା ପାଇଁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପରେ ରାଜସ୍ଥାନର ବାଂଶଵାଡ଼ାରେ ମୋଦୀ ଦେଇଥିବା ଭାଷଣରେ କଂଗ୍ରେସ ଲୋକଙ୍କ କଷ୍ଟଅର୍ଜିତ ସମ୍ପତ୍ତି ଛଡ଼ାଇ ନେଇ ଅନୁପ୍ରବେଶକାରୀ ଓ ଅଧିକ ସନ୍ତାନ ଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରିବାକୁ ଚାହୁଛି ବୋଲି ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଦଳ କଂଗ୍ରେସର ଇସ୍ତାହାରକୁ ପ୍ରଥମେ ମୁସଲିମ ଲିଗ୍‌ର ଛାପ ଓ ପରେ ମାଓ ଦସ୍ତାବିଜ ଭଳି ବୋଲି ଆଖ୍ୟା ଦେଇଥିଲା। ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ଏଥର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ବିରୋଧୀ ଅଭିଯୋଗ କରିଛନ୍ତି ଯେ ବିଜେପି ୫୪୩ ଲୋକସଭା ଆସନରୁ ୪୦୦ରୁ ଅଧିକ ଆସନ ଜିତିବାକୁ ଚାହୁଛି, ଯାହାଦ୍ୱାରା ସେମାନେ ସମ୍ବିଧାନକୁ ପରିବର୍ତ୍ତନ କରିପାରିବେ ଏବଂ ଜାତିଭିତ୍ତିକ କୋଟାକୁ ହଟାଇପାରିବେ। ଏସ୍‌ସି, ଏସ୍‌ଟି, ଓବିସିଙ୍କ ସଂରକ୍ଷଣ ଉପରେ ୫୦% ସୀମା ବୃଦ୍ଧି କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାତିଗତ ଜନଗଣନା କରିବାକୁ ଆହ୍ୱାନ ଦେଇଥିଲେ।