କୋଲ୍‌କାତା: ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିପାରୁ ନ ଥିବା ପ୍ରଧାନମନ୍ତ୍ରୀ କିପରି ସମଗ୍ର ଦେଶ ଚଳାଇବେ ବୋଲି ଶନିବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପଶ୍ଚିମବଙ୍ଗରେ ଆୟୋଜିତ ‘କ୍ଷେତ୍ରୀୟ ପଞ୍ଚାୟତ ରାଜ ପରିଷଦ୍‌’ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀ ଭାଷାରେ କହିଥିଲେ, ‘ଟିଏମ୍‌ସି’ ନେ ଖୁନୀ ଖେଲ୍‌ ଖେଲା ହୈ… (ରକ୍ତରେ ଖେଳ ଖେଳିଛି)। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟର ହିଂସାକାଣ୍ଡକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ ମୋଦୀ ତୃଣମୂଳ କଂଗ୍ରେସକୁ ସମାଲୋଚନା କରି ଏଭଳି ମନ୍ତବ୍ୟ ଦେଇଥିଲେ।

ଏହାର ପାଲଟା ଜବାବ ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, କେବଳ ରାଜ୍ୟର ‘ବିଜେପି’ ନେତାଙ୍କୁ ଖୁସି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗକୁ ଅପମାନିତ, ଦରିଦ୍ର, ନି‌ଷ୍ପେଷିତ କରିବା ସହିତ କଷ୍ଟ ଦେଇଛନ୍ତି।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଜନତାକୁ ମାନବତାର ବାର୍ତ୍ତା ଦେବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଆଜି ଗୋଟାଏ ଛୋଟ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗକୁ ବଦନାମ କରିଛନ୍ତି। ପଶ୍ଚିମବଙ୍ଗକୁ ମନେରଖିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଆସନକୁ ଧନ୍ୟବାଦ ଦେଉଛି କିନ୍ତୁ, ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନୁହେଁ। ଗରିବ ଲୋକଙ୍କୁ ମଜୁରି ମିଳୁଥିବା ‘ମନରେଗା’ ଯୋଜନାକୁ ସେ ବନ୍ଦ ରଖିଛନ୍ତି। କିନ୍ତୁ, ଏହି ଯୋଜନାର ସଫଳ ରୂପାୟନରେ ଶ୍ରେଷ୍ଠ ରାଜ୍ୟ ଭାବେ ଆମେ ଏକାଦିକ୍ରମେ ୫ଥର ଭାରତ ସରକାରଙ୍କଦ୍ବାରା ପୁରସ୍କୃତ ‌ହୋଇଥିଲୁ।

ମଣିପୁର ଗତ ୧୦୦ ଦିନ ହେବ ଜଳୁଛି। ଯଦି ପ୍ରଧାନମନ୍ତ୍ରୀ ମଣିପୁର ଭଳି ଛୋଟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳି ପାରୁ ନାହାନ୍ତି, ସେ ସମଗ୍ର ଦେଶ ଚଳାଇବେ କିପରି…। ପ୍ରତି କଥାରେ ସେ ପଶ୍ଚିମବଙ୍ଗକୁ ବଦନାମ କରି ଧମକ ଦେଲେ ଦେଶ ଚଳାଇବେ କିପରି? ବଙ୍ଗବାସୀ ବିଭାଜନକାରୀ ରାଜନୀତି ଓ ଦଙ୍ଗା ନିକଟରେ ଆତ୍ମସମର୍ପଣ କରି ନାହାନ୍ତି ଓ ସେମାନେ ତାହା ବଜାୟ ରଖିବେ ବୋଲି ମୁଁ ସ୍ମରଣ କରାଇ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି।

ନିର୍ବାଚନୀ ହିଂସାରେ ନରହତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଦେଇ ଥିବା ଟିପ୍ପଣୀକୁ ବିରୋଧ କରି ସେ ପୁଣି କହିଛନ୍ତି, ମୁହଁ ସମ୍ଭାଳି କଥାବାର୍ତ୍ତା କରନ୍ତୁ। ଆପଣଙ୍କ ଲୋକାମ‌ାନେ ହିଁ ପଶ୍ଚିମବଙ୍ଗରେ ୧୬/୧୭ଜଣ ଲୋକଙ୍କୁ ହତ୍ୟା କରିଛନ୍ତି।