‘ହାଓଡି ମୋଦୀ’ କାର୍ଯ୍ୟକ୍ରମ: ପ୍ରମୁଖତାର ସହ ଛାପିଲେ ବିଦେଶୀ ଗଣମାଧ୍ୟମ

ପ୍ରଶଂସା କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଆମେରିକାର ହଷ୍ଟନ ସହରରେ ଗତକାଲି ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ହାଓଡି ମୋଦୀ କାର୍ଯ୍ୟକ୍ରମକୁ ବିଦେଶୀ ଗଣମାଧ୍ୟମ ଗୁଡ଼ିକ ପ୍ରମୁଖତାର ସହ ଛାପିଛନ୍ତି। ୱାସିଂଟନ ପୋଷ୍ଟ ଠାରୁ ଆରମ୍ଭ କରି ନିଉୟର୍କ ଟାଇମ୍ସ ଏବଂ ବିବିସି ଆଦିରେ ଏହି ସମ୍ବାଦ ଫଟୋ ସହିତ ପ୍ରକାଶ ପାଇଛି। ପ୍ରାୟ ୫୦ ହଜାର ଦର୍ଶକଙ୍କ ଗହଣରେ ଟେକ୍ସାସ ପ୍ରଦେଶର ଏନ୍‌ଆରଜି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରୋଚକ ଢଙ୍ଗରେ ଆମେରିକା ସମେତ ପାଶ୍ଚାତ୍ୟ ଗଣମାଧ୍ୟମଗୁଡ଼ିକ ପ୍ରକାଶ କରିଛନ୍ତି। ଭାରତର ମୋଦୀଙ୍କ ପାଇଁ ଆୟୋଜିତ ରାଲିରେ ଟ୍ରମ୍ପ ମୋଦୀଙ୍କୁ ଅଧିକ ଗୁରୁତ୍ବ ଦେଇ ନିଜକୁ ତାଙ୍କ ତଳେ ରଖିଲେ ବୋଲି ଦି ନିଉୟର୍କ ଟାଇମ୍ସ କହିଛି। ତେବେ ନିଉୟର୍କ ଟାଇମ୍ସ ତା ସମ୍ବାଦରେ ଲେଖିଛି, ଏକତ୍ରିତ ହୋଇଥିବା ଭାରତୀୟ ଲୋକଙ୍କର ଫାଇଦା ନେବାରୁ ଟ୍ରମ୍ପ ନିଜକୁ ଅଟକାଇ ପାରିନାହାନ୍ତି। ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଆଉ ଉତ୍ତମ ବନ୍ଧୁ ଆପଣମାନଙ୍କର କେହି ହୋଇ ନପାରନ୍ତି ବୋଲି ସେ ଉପସ୍ଥିତ ପ୍ରବାସୀ ଭାରତୀୟମାନଙ୍କୁ କହିଥିଲେ। ଏହା କହି ଟ୍ରମ୍ପ ଆସନ୍ତା ନିର୍ବାଚନରେ ପ୍ରବାସୀ ଭାରତୀୟମାନଙ୍କ ସମର୍ଥନ ନେବାକୁ ପ୍ରଚେଷ୍ଟା କରିଛନ୍ତି ବୋଲି କୁହାଯାାଉଛି। ଦି ୱାସିଂଟନ ପୋଷ୍ଟରେ ପ୍ରକାଶିତ ଉକ୍ତ ସମ୍ବାଦର ଶୀର୍ଷକ ରହିଛି ହଷ୍ଟନଠାରେ ‌ଆୟୋଜିତ ବିଶାଳ ମୋଦୀ ରାଲିରେ ଟ୍ରମ୍ପ ଅଦ୍ବିତୀୟ ୱାର୍ମ ଅପ୍ ଭୂମିକା ଗ୍ରହଣ କରିଲେ। ସେହିଭଳି ବିବିସି ପକ୍ଷରୁ ପ୍ରକାଶିତ ସମ୍ବାଦର ଶୀର୍ଷକ ରହିଛି, ଐତିହାସିକ ହାଓଡି ମୋଦୀ ରାଲିରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ରମ୍ପ ପ୍ରଶଂସା କରିଲେ। ଏହି କାର୍ଯ୍ୟକ୍ରମ‌ର କେନ୍ଦ୍ରବିନ୍ଦୁ ମୋଦୀ ଥିଲେ। ମୋଦୀ ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ଏକ ପ୍ରକାର ନିର୍ବାଚନୀ ପ୍ରଚାର କରିଥିଲେ। ଭାରତରେ ଗତ ନିର୍ବାଚନ ବେଳର ସ୍ଳୋଗାନ ‘ଅବ୍‌କୀ ବାର୍,ମୋଦୀ ସରକାର୍‌’ ଭଳି ମୋଦୀ ସେଠାରେ କହିଥିଲେ ଅବ୍‌କୀ ବାର୍, ଟ୍ରମ୍ପ୍ ସରକାର୍‌’। ଟ୍ରମ୍ପ ମଧ୍ୟ ମୋଦୀଙ୍କର ପ୍ରଶଂସା କରିଥିଲେ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ମୋଦୀ ଏବଂ ଟ୍ରମ୍ପ ମିଳିତଭାବେ ହଷ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ବିଶ୍ବର ଦୁଇ ବୃହତ୍ ଗଣତନ୍ତ୍ର ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ସୂଚାଉଛି। ଏସିଆ ପ୍ରଶାନ୍ତ ମହାସାଗର‌ ଅଞ୍ଚଳରେ ଆଧିପତ୍ୟ ବିସ୍ତାର ପାଇଁ ଚୀନ୍ ଚଳାଇଥିବା ଯୋଜନାକୁ ବିଶ୍ବର ଏହି ଦୁଇ ବୃହତ୍ ଗଣତନ୍ତ୍ର ଅଟକାଇପାରିବେ ବୋଲି ଏଥିରେ ପ୍ରକାଶ ପାଇଛି। ବିଦେଶୀ ଗଣମାଧ୍ୟମ ଗୁଡ଼ିକ ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଏଭଳି ପ୍ରମୁଖତାର ସହିତ ଛାପିବା ଦେଖାଯାଇ ନାହିଁ। ଚର୍ଚ୍ଚା ହେଉଛି।

ନୂଆଦିଲ୍ଲୀ: ହାଓଡି ମୋଦୀ କାର୍ଯ୍ୟକ୍ରମକୁ ମମତା ବାନାର୍ଜୀଙ୍କ ପରାମର୍ଶଦାତା ପ୍ରଶାନ୍ତ କିଶୋର ପ୍ରଶଂସା କରିଛନ୍ତି। ଏହି ଉତ୍ସବକୁ ‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଣିବା ନରେନ୍ଦ୍ର ମୋଦୀଙ୍କର ଏକ ଚତୁର ଏବଂ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ଟ୍ରମ୍ପଙ୍କ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଏହାଦ୍ବାରା ମିଳିଯିବ। ଏଠାରେ ଯେତେ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ପୂର୍ବରୁ ତାହା କେବେ ଦେଖାଯାଇ ନଥିଲା। ଗଣତନ୍ତ୍ରରେ ସଂଖ୍ୟା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ସମ୍ବନ୍ଧିତ ଖବର