ସାହିତ୍ୟ ଅକାଦେମି ପୁରସ୍କାର ଗ୍ରହଣ କଲେ ହୃଷୀକେଶ

ନୂଆଦିଲ୍ଲୀ : କବିତା ସଂକଳନ ‘ସରିଯାଇଥିବା ଅପେରା’ ପାଇଁ ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଛି। ବର୍ଷ ୨୦୨୧ ପାଇଁ ଶ୍ରୀ ମଲ୍ଲିକଙ୍କ ସମେତ ବିଭିନ୍ନ ଭାଷ‌ାର ୨୪ଜଣ ଲେଖକ ଏହି ସମ୍ମାଜନକ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ସୁରୂପ ପ୍ରତ୍ୟେକଙ୍କୁ ତାମ୍ରଫଳକ ଏବଂ ୧ ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯାଇଛି।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଅନ୍ତର୍ଗତରେ ଅକାଦେମି ପକ୍ଷରୁ ନୂଆଦିଲ୍ଲୀଠାରେ ଗୁରୁବାରଠାରୁ ‘ସାହି‌ତ୍ୟୋତ୍ସବ-୨୦୨୨’ ଆରମ୍ଭ ହୋଇଛି। ୫ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୨୦୦ରୁ ଅଧିକ ଲେଖକ ଯୋଗ ଦେଇଛନ୍ତି। ଆଜି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସର‌େ ରବୀନ୍ଦ୍ର ଭବନ ଲନ୍‌ରେ ‘ଆଦିବାସୀ ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୪ଟି ଆଦିବାସୀ ଭାଷାର ଲେଖକମାନେ ‌ଯୋଗ ଦେଇଥିଲେ। ସଂଧ୍ୟାରେ କୋପରନିକସ୍‌ ମାର୍ଗସ୍ଥିତ କମାନି ଅଡିଟୋରିୟମ୍‌ରେ ୨୪ଜଣ ବିଶିଷ୍ଟ ଲେଖକଙ୍କୁ ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଥିଲା। ଅକାଦେମିର ସଭାପତି ଚନ୍ଦ୍ରଶେଖର କମ୍ବରଙ୍କ ସଭାପତିତ୍ବ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ମରାଠି ଲେଖକ, କବି ଓ ସମାଲୋଚକ ବାଲଚନ୍ଦ୍ର ନିମାଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ସ୍ଥାନରୁ ବହୁ ଲେଖକ ଉପସ୍ଥିତ ଥିଲେ। ପୁରସ୍କାର ଗ୍ରହଣ ଉତ୍ସବରେ ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର