ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣାସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଏଚୟୁର ସର ସୁନ୍ଦରଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳା କରୋନା ପଜିଟିଭ ଶିଶୁକୁ ଜନ୍ମ ଦେଇଛନ୍ତି। ହସ୍ପିଟାଲରେ ମହିଳାଙ୍କ ପ୍ରସବ ପରେ ଡାକ୍ତର ନବଜାତ ଶିଶୁର କରୋନା ପରୀକ୍ଷା କରିବାରୁ ତାର ରିପୋର୍ଟ ପଜିଟିଭ ଆସିଥିଲା। ଏହି ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରଙ୍କ କହିବାନୁସାରେ ଏଭଳି ଘଟଣା ବିରଳ । ଉଭୟ ମା’ ଓ ଶିଶୁ ଏବେ ସୁସ୍ଥ ଅଛନ୍ତି।
ସୂଚନା ମୁତାବକ, ଚନ୍ଦୗଲିରେ ରହୁଥିବା ସୁପ୍ରିୟା ପ୍ରଜାପତିଙ୍କ ପ୍ରସବ ସମୟ ହୋଇଯାଇଥିବାରୁ ତାଙ୍କୁ ୨୪ ତାରିଖରେ ବିଏଚୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରସବ ପୂର୍ବରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ନେଗେଟିଭ ଆସିବା ପରେ ଡାକ୍ତର ମହିଳାଙ୍କ ଅସ୍ତ୍ରୋପଚାର କରି ପ୍ରସବ କରିଥିଲେ। କିନ୍ତୁ ପ୍ରସବ ପରେ ନବଜାତ ଶିଶୁର ରିପୋର୍ଟ ପଜିଟିଭ ଆସିଥିଲା। ଯାହାକି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏମିତି ଏକ ଘଟଣା ପୂର୍ବରୁ ଆମେରିକାରୁ ସାମ୍ନାକୁ ଆସିଥିଲା। ତେବେ ଉକ୍ତ ମା’ ଓ ଶିଶୁଙ୍କ ଦ୍ବିତୀୟ ଥର ପରୀକ୍ଷା କରିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା। ଦୁହେଁ ଏବେ ସୁସ୍ଥ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/download-22.jpg)