ଓକିଲମାନଙ୍କ ଆନ୍ଦୋଳନ ଉପରୁ ପ୍ରତିବନ୍ଧକ ହଟାଇବାକୁ ଦାବି କଲା ବାର କାଉନ୍ସିଲ୍‌; ଅସମ୍ମତି ଜଣାଇଲେ ମୁଖ୍ୟବିଚାରପତି ଜଷ୍ଟିସ ଗୋଗୋଇ

ନୂଆଦିଲ୍ଲୀ: ଓକିଲମାନେ ଆନ୍ଦୋଳନ କରିପାରିବେ ନାହିଁ ବୋଲି ୧୬ ବର୍ଷ ତଳେ ସୁପ୍ରିମକୋର୍ଟ ଦେଇଥିବା ଏକ ରାୟ ମାଧ୍ୟମରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉ ବୋଲି ଶନିବାର ବାର କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆ ଦେଇଥିବା ପରାମର୍ଶକୁ ଗ୍ରହଣ କରି ନାହାନ୍ତି ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ। ଓଲଟା ସେ ପ୍ରଶ୍ନ କରିଛନ୍ତି, ଓକିଲମାନଙ୍କର ଆନ୍ଦୋଳନ କରିବାର କି ଆବଶ୍ୟକତା ରହିଛି।

ଶନିବାର ନବନିଯୁକ୍ତ ମୁଖ୍ୟବିଚାରପତିଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାର କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମାନନ କୁମାର ମିଶ୍ର ଓକିଲମାନଙ୍କ ଆନ୍ଦୋଳନ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ପ୍ରସ୍ତାବ ଦେବା ପରେ ଜଷ୍ଟିସ୍‌ ଗୋଗୋଇ ଏହି ଉତ୍ତର ରଖିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ମଧ୍ୟ ଏ ସଂପର୍କରେ ମତ ରଖିଛନ୍ତି। ସେ ଓକିଲମାନଙ୍କୁ ସୂଚୀତ କରି କହିଛନ୍ତି ଯେ କୋର୍ଟରେ ଓକିଲମାନଙ୍କ ଅନୁପସ୍ଥିତି ସାଧାରଣ ଲୋକଙ୍କ ସ୍ୱାଧୀନତା ସହ ଅଧିକାର ଜାହିର କରିବାକୁ ପ୍ରଭାବିତ କରିବ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଜଷ୍ଟିସ୍‌ ରଞ୍ଜନ ଗୋଗଇ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ପ୍ରସଂଗରେ ସେ ନିଜର ମତ ରଖି କହିଛନ୍ତି, ‘ଓକିଲମାନେ ଆନ୍ଦୋଳନ ନକରି ପାରିବାକୁ ମୁଁ ଏକ ଆଇନଗତ ସମସ୍ୟା ବୋଲି ଭାବୁନାହିଁ। ଆନ୍ଦୋଳନର ଆବଶ୍ୟକତା କ’ଣ? ମୁଁ ଜାଣିଛି ଯେ ସେପରି କିଛି ପରିସ୍ଥିତି ଆସିବ ନାହିଁ।’

ସମ୍ବନ୍ଧିତ ଖବର