ମୋଦିଙ୍କ ବୁଲେଟ ଟ୍ରେନ ଆଗରେ ଦୁଇଟି ପ୍ରତିବନ୍ଧକ : ଆମ୍ବ ଓ ସପେଟା

ମୁମ୍ବାଇ : ପ୍ରଧାନମନ୍ତ୍ରୀଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି ଦୁଇଟି ଫଳ ଆମ୍ବ ଓ ସପେଟା । କାରଣ ବୁଲେଟ ଟ୍ରେନ ପ୍ରକଳ୍ପଟି ମହାରାଷ୍ଟ୍ରର ଯେଉଁ ଅଂଚଳ ଦେଇ ଯାଉଛି ତା ମଧ୍ୟରେ ରହିଛି ପାଲଘର ଜିଲ୍ଲା । ଏହି ଜିଲ୍ଲାର ପ୍ରାୟ ୭୦ଟି ଗ୍ରାମ ଦେଇ ପ୍ରକଳ୍ପ ଯାଉଛି ଓ ସେଥିପାଇଁ ଜମି ଅଧିଗ୍ରହଣ ଚାଲିଛି । ଏସବୁ ଜିଲ୍ଲାରେ ଆମ୍ବ ଓ ସପେଟା ଚାଷ ପ୍ରବଳ ହୁଏ । ଏହି ଚାଷୀମାନେ ହିଁ ଜମି ଦେବାକୁ ମନା କରିଦେଇଛନ୍ତି । ଏପରିକି ସରକାର ଜମିର ବଜାର ମୂଲ୍ୟଠାରୁ ୨୫ ପ୍ରତିଶତ ଅଧିକ ମୂଲ୍ୟ ଓ ପୁନର୍ବାସ ଖର୍ଚ୍ଚ ଭରଣା କରିବାକୁ ରାଜି ହୋଇଥିଲେ ମଧ୍ୟ ଚାଷୀମାନେ ରାଜି ହେଉନାହାନ୍ତି । ସେମାନେ ବିକଳ୍ପ ଜୀବିକା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆଉ କେତେକ ଲୋକଙ୍କ ମତରେ କେତେକ ରାଜନେତାଙ୍କ ପ୍ରରୋଚନାରେ ପଡି ଏହି ଲୋକମାନେ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଏସବୁ କାରଣରୁ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନେଇ ସଂଦେହ ଦେଖାଦେଇଛି । ଠିକ ସମୟରେ ଜମି ଅଧିଗ୍ରହଣ ଶେଷ ନହେଲେ ଜାପାନ ଇଣ୍ଟରନାସନାଲ ବ୍ୟାଙ୍କରୁ ଋଣ ପାଇବା ନେଇ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି ।

। ମିଳିଥିବା ସୂଚନା ଅନୁସାରେ ଏହି ୭୦ଟି ଗାଁ ମଧ୍ୟରୁ ୨୩ଟି ଗାଁ ଲୋକ ସରକାର ବା ରେଳବିଭାଗ ସହ କୌଣସି ପ୍ରକାର କଥାବାର୍ତ୍ତ ମଧ୍ୟ କରୁନାହାନ୍ତି । କୌଣସି ସରକାରୀ ଅଧିକାରୀ କଥାବାର୍ତ୍ତା କରିବାକୁ ଗାଁକୁ ଗଲେ ସେମାନଙ୍କୁ ମାଡ ମାରୁଛନ୍ତି । ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ସରକାର ମୋଟ ୧୪୦୦ ହେକ୍ଟର ଜମି ଅଧିଗ୍ରହଣ କରୁଛନ୍ତି । କିନ୍ତୁ ଏହି ୭୦ ଟି ଗାଁରେ ଥିବା ୨୦୦ ହେକ୍ଟର ଜମି ଅଧିଗ୍ରହଣ ହୋଇପାରୁନାହିଁ ।

ସମ୍ବନ୍ଧିତ ଖବର