ହରିଦ୍ବାର: କୁମ୍ଭମେଳାରେ କରୋନାକୁ ନାହିଁ ଡର । ସାରା ଦେଶରେ କରୋନା ଭୂତାଣୁର ଭୟ ଛାଇ ଯାଇଥିବା ବେଳେ କୁମ୍ଭମେଳାରେ ହଜାର ହଜାର ସାଧୁସନ୍ଥ ଏକାଠି ହୋଇଛନ୍ତି । ହରିଦ୍ୱାର କୁମ୍ଭମେଳାର ଦ୍ୱିତୀୟ ମହାସ୍ନାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୧୩ଟି ଆଖଡାର ସାଧୁସନ୍ଥଙ୍କ ଭିଡ ହରିଦ୍ୱାରର ହର କି ପୌଡି ଘାଟରେ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ସିଂ ମହାସ୍ନାନ କରିବା ପାଇଁ ହରିଦ୍ୱାରରେ ପହଞ୍ଚିଛନ୍ତି ।
କିଛି ଦିନ ତଳେ କୁମ୍ଭମେଳାକୁ ଆସିଥିବା ସାଧୁ କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ କଟକଣା ମାନିବା ପରିବର୍ତ୍ତେ ସାମାଜିକ ଦୂରତାକୁ ଭୁଲି ଲୋକେ ବୁଡ଼ ପକାଉଥିବା ଦେଖାଯାଇଛି। ସାଧୁସନ୍ଥଙ୍କ ସବୁଠୁ ବଡ଼ ପ୍ରତିଷ୍ଠାନ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସମେତ ୯ରୁ ଅଧିକ ସାଧୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତଥାପି କୋଭିଡ ନିୟମକୁ ବେଖାତିର କରି ଶ୍ରଦ୍ଧାଳୁଙ୍କ ଏପରି ଭିଡ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାମାଜିକ ଦୂରତା ତ ଦୂରର କଥା ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନାହିିଁ ।
/sambad/media/post_attachments/bf925aaf4b327aa70c7fff3a0951d262d5dad5248df243348503255933821fb1.jpg)
ଅନ୍ୟପଟେ ସ୍ଥାନୀୟ ପ୍ରଶାସନ କହିଛି ଶ୍ରଦ୍ଧାଳୁଙ୍କ ଏତେ ମାତ୍ରାରେ ଭିଡ ଭିତରେ ନିୟମ ମାନିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ହେଲେ ଲୋକେ କରୋନା କଟକଣାକୁ ମାନୁ ନାହାନ୍ତି । ଯଦି ଏହି ଗହଳି ଭିତରେ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ ଚେଷ୍ଟା କରାଯିବ ତେବେ ଦଳାଚକଟା ଆଶଙ୍କା ଥିବା କହିଛନ୍ତି କୁମ୍ଭମେଳାର ଦାୟିତ୍ୱରେ ଥିବା ଆଇଜି ସଂଜୟ ଗୁଞ୍ଜାଲ ।