ଆଲମୋରା: ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ଡବରା ଗ୍ରାମରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିକଟରୁ ୧୬୧ଟି ଜିଲେଟିନ୍ ଷ୍ଟିକ୍ ଜବତ ହୋଇଛି। ଏହି ଶକ୍ତିଶାଳୀ ବିସ୍ଫୋରକ ଏତେ ପରିମାଣରେ ଜନଗହଳିପୂର୍ଣ୍ଣ ଅଂଚଳରୁ ଜବତ ହେବା ଆତଙ୍କ ସୃଷ୍ଟି କରିଛି। ବିଦ୍ୟାଳୟର ସୁରକ୍ଷା ନେଇ ମଧ୍ୟ ଏହା ଗମ୍ଭୀର ଚିନ୍ତା ସୃଷ୍ଟି କରିଥିବା ବେଳେ ବିଭିନ୍ନ ତଦନ୍ତକାରୀ ଏଜେନ୍ସିଙ୍କ ଦ୍ୱାରା ଖୋଳତାଡ଼ ଆରମ୍ଭ ହୋଇଛି। ଜିଲେଟିନ୍ ଷ୍ଟିକ୍ ସାଧାରଣତଃ ପଥର ଫଟାଇବା ପାଇଁ ବ୍ୟବହୃତ ହୋଇଥାଏ, କିନ୍ତୁ ଏହା ବିଦ୍ୟାଳୟ ପାଖରେ ମହଜୁଦ ରଖାଯାଇଥିବାରୁ ଅପରାଧ ଷଡ୍ଯନ୍ତ୍ର ନେଇ ସନ୍ଦେହ ଉତ୍ପନ୍ନ ହୋଇଛି।
ଗୁରୁବାର ସନ୍ଧ୍ୟା ସମୟରେ ବିଦ୍ୟାଳୟର ଛାତ୍ରମାନେ ସ୍କୁଲ ନିକଟରେ ପ୍ରଥମେ ସନ୍ଦେହଜନକ ବ୍ୟାଗ୍ ଠାବ କରିବା ପରେ ତୁରନ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ସିଲ୍ କରିଥିଲା ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପୂରା ଅଞ୍ଚଳରେ ତଲାସୀ କରିଥିଲେ। ଅଧିକାରୀମାନେ ୧୬୧ଟି ଜିଲେଟିନ୍ ଷ୍ଟିକ୍ ଜବତ କରି ଫରେନ୍ସିକ୍ ବିଶ୍ଲେଷଣ ପାଇଁ ନମୁନା ସଂଗ୍ରହ କରିଛନ୍ତି। ଘଟଣାସ୍ଥଳରୁ କୌଣସି ଡିଟୋନେଟର୍ କିମ୍ବା ଅନ୍ୟ ଉପକରଣ ମିଳିନାହିଁ। ଅଜଣା ବ୍ୟକ୍ତିମାନଙ୍କ ବିରୋଧରେ ବିସ୍ଫୋରକ ନିୟନ୍ତ୍ରଣ ଆଇନ ଅଧୀନରେ ଏଫ୍ଆଇଆର୍ ଦାଖଲ ହୋଇଛି। ସମଗ୍ର ମାମଲାର ରହସ୍ୟ ଉନ୍ମୋଚନ ପାଇଁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ଆଲମୋରାର ସିନିୟର୍ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୁଲିସ (ଏସ୍ଏସ୍ପି) ଦେବେନ୍ଦ୍ର ପିଞ୍ଛା କହିଛନ୍ତି। ଫରେନ୍ସିକ୍ ଦଳ ଜିଲେଟିନ୍ ଷ୍ଟିକ୍ରୁ ଅଙ୍ଗୁଳି ଚିହ୍ନ, ରାସାୟନିକ ଉପାଦାନ ଏବଂ ଉତ୍ପାଦନ ବିବରଣୀ ବିଶ୍ଲେଷଣ କରୁଛନ୍ତି। ନିକଟବର୍ତ୍ତୀ ରାସ୍ତାର ସିସିଟିଭି ଫୁଟେଜ୍ ଏବଂ ଗ୍ରାମବାସୀଙ୍କ ବୟାନ ସଂଗ୍ରହ ହେଉଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଚାଲିଛି। ସ୍ଥାନୀୟ ଅଧିକାରୀମାନେ ଆଲମୋରାରେ ସ୍କୁଲ ସୁରକ୍ଷା ବଢ଼ାଇ ଦେଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ବି ସୁରକ୍ଷା ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/24/untitled-21-2025-11-24-07-48-53.jpg)