ନୂଆଦିଲ୍ଲୀ: ନେପାଳରେ ଜେନ୍ ଜେଡ୍ ପିଢ଼ି (୧୯୯୬ ରୁ ୨୦୧୨ ବା ଟେକ୍ନୋଲୋଜି ଯୁଗରେ ଜନ୍ମିତ ପିଲା)ଙ୍କ ବିଦ୍ରୋହ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି। ଏହି ବିଦ୍ରୋହରେ ମୃତ୍ୟୁ ସଂଖ୍ୟା ୧୬ ଛୁଇଁବା ବେଳେ ୧୦୦ ଜଣ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି।
ନେପାଳରେ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ବିରୋଧରେ ନେପାଳରେ ଏକ ବିଶାଳ ପ୍ରତିବାଦର ନେତୃତ୍ୱ ନେଉଛନ୍ତି ଜେନ୍ ଜେଡ୍ ପିଢ଼ି। ଅନଲାଇନରେ ଆରମ୍ବ ହୋଇଥିବା ଏହି ବିଦ୍ରୋହ ସୋମବାର ରାସ୍ତା ଉପରକୁ ଆସିଛି। ପ୍ରଦର୍ଶନକାରୀମାନେ ସଂସଦ ନିକଟରେ ପୁଲିସ ସହିତ ସଂଘର୍ଷ କରିଥିଲେ। ସୁରକ୍ଷା ବାହିନୀ ଗୁଳି ଚଳାଇବାରୁ ଅତି କମରେ ଷୋହଳ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ ରୁ ଅଧିକ ଆହତ ହୋଇଛନ୍ତି।
'ଜେନ ଜେଡ ବିପ୍ଳବ' ନାମରେ ପରିଚିତ କାଠମାଣ୍ଡୁରେ ହଜାର ହଜାର ଯୁବ ପ୍ରଦର୍ଶନକାରୀ ପ୍ରବେଶ କରିଥିଲେ। ଅନେକ ପୁଲିସ ବ୍ୟାରିକେଡ ଭାଙ୍ଗି ନିଷିଦ୍ଧ ଅଞ୍ଚଳଗୁଡ଼ିକୁ ପ୍ରବେଶ କରିଥିଲେ।
ସଂଘର୍ଷ ବୃଦ୍ଧି ପାଇବା ପରେ ପ୍ରତିରୋଧ ଭାବରେ ପୁଲିସ ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲା। କେବଳ ସେତିକି ନୁହେଁ, କର୍ତ୍ତୃପକ୍ଷ ରାଜଧାନୀରେ କର୍ଫ୍ୟୁ ଜାରି କରିଥିଲେ। ପୁଲିସ୍ର ଗୁଳିମାଡ଼ରେ ଗୋଟାଏ ପରେ ଗୋଟାଏ ଜୀବନ ଟଳି ପଡୁଛି। ଘଟଣାସ୍ଥଳରେ ନେପାଳ ସେନାକୁ ମଧ୍ୟ ମୁତୟନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ପଞ୍ଜିକୃତ ନହୋଇଥିବାରୁ ଏଗୁଡ଼ିକ ଉପରେ ନିଷେଧାଦେଶ ଜାରି ହୋଇଥିଲା।
ଏହି ପ୍ରତିବନ୍ଧକ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍, ଟ୍ୱିଟର, ଲିଙ୍କଡିନ୍, ସ୍ନାପଚାଟ୍, ରେଡ୍ଡିଟ୍, ପିଣ୍ଟରେଷ୍ଟ, ସିଗନାଲ, ଥ୍ରେଡ୍ସ, ୱିଚାଟ୍, କ୍ୱାରା, ଟମ୍ବଲର ସମେତ ୨୬ଟି ପ୍ରମୁଖ ସୋସିଆଲ ମିଡିଆ ପାଇଁ ଲାଗୁ କରାଯାଇଥିଲା। ଯାହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜେନ୍ ଜେଡ୍ ପିଢ଼ି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/08/new-project-22-2025-09-08-17-10-47.jpg)