ଭାରତରେ ବିପୁଳ ସୁଯୋଗ: ବଫେଟ୍‌

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଚର୍ଚ୍ଚିତ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ଓ ସିଇଓ ୱାରେନ ବଫେଟ୍‌ ଭାରତକୁ ସୁଯୋଗର ଗନ୍ତାଘର ଭାବେ ବର୍ଣ୍ଣନା କରିଛନ୍ତି। କମ୍ପାନିର ବାର୍ଷିକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତରେ ହାସଲ ହୋଇନଥିବା ବହୁ ସୁଯୋଗ ରହିଛି। ବର୍କସାୟାରର ନୂଆ ପରିଚାଳନା କର୍ତ୍ତୃପକ୍ଷ ଭାରତରେ ନିବେଶ କରିବା ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବ ବୋଲି ସେ କହିଛନ୍ତି। ବଫେଟ୍‌ କହିଛନ୍ତି ଯେ ଭାରତରେ ଏଭଳି ବହୁ କ୍ଷେତ୍ରରେ ସୁଯୋଗ ରହିଛି ଯାହାକୁ ଏପର୍ଯ୍ୟନ୍ତ ହାସଲ କରାଯାଇନାହିଁ। ତେବେ ସେ ଭାରତରେ ହେବାକୁ ଥିବା ନିବେଶ ବିଷୟରେ କୌଣସି ଠୋସ୍ ସୂଚନା ଦେଇନାହାନ୍ତି। କମ୍ପାନି ସାରା ବିଶ୍ବରେ ଏହାର ଉପସ୍ଥିତି ବଢ଼ାଉଛି। ଜାପାନରେ କରାଯାଇଥିବା ନିବେଶର ଭଲ ଫଳ ମିଳିଛି। ତେଣୁ ଭାରତ ଭଳି ଦେଶରେ ନିବେଶର ଭଲ ସୁଯୋଗ ରହିବ। ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇନାହିଁ ବୋଲି ସେ କହିଛନ୍ତି। ଛଅ ବର୍ଷ ପୂର୍ବେ ପେଟିଏମ୍‌ରେ ବଫେ ୨,୨୦୦ କୋଟି ଟଙ୍କା ନିବେଶ କରି କମ୍ପାନିର ୨.୬ ପ୍ରତିଶତ ଅଂଶଧନ ହାସଲ କରିଥିଲେ। ତାହା ତାଙ୍କ ପାଇଁ କିନ୍ତୁ ଲାଭଦାୟକ ହୋଇନଥିଲା। ଗତବର୍ଷ ସେ ପେଟିଏମ୍‌ର ସବୁ ଅଂଶଧନ ବିକ୍ରି କରିଦେଇଥିଲେ।

ଭାରତୀୟ ଅର୍ଥନୀତି ଏବେ ଚମତ୍କାର ପ୍ରଦର୍ଶନ କରୁଛି। ସେଥିପାଇଁ ବିଶ୍ବର ପ୍ରମୁଖ ରେଟିଂ ଏଜେନ୍ସିଗୁଡ଼ିକ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ପୂର୍ବରୁ ଯେଉଁ ଆକଳନ କରିଥିଲେ ତାହାକୁ ବଦଳାଇବା ସହ ବଢ଼ାଉଛନ୍ତି। ଗତ କିଛି ମାସ ଧରି ଭାରତର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଏକ ସଦ୍ୟତମ ଆକଳନ ଅନୁସାରେ ଭାରତ ବିଶ୍ବର ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥନୀତି ହୋଇରହିବ। ଏହା ଭାରତ ପାଇଁ ନିଜର ଅଭିବୃଦ୍ଧି ଆକଳନକୁ ୬.୫ ପ୍ରତିଶତରୁ ବଢ଼ାଇ ୬.୮ ପ୍ରତିଶତ କରିଛି।

ସମ୍ବନ୍ଧିତ ଖବର