ଇଣ୍ଡୋନେସିଆ: ବର୍ଷ ଶେଷ ପାଇଁ ନାଚଗୀତର ଆସର ବେଳେ ମାଡି ଆସିଲା ପ୍ରଳୟଙ୍କରୀ ସୁନାମି, ଭିଡିଓ ଦେଖନ୍ତୁ

ଜାକର୍ତ୍ତା: ଶନିବାର ଦିନ ଇଣ୍ଡୋନେସିଆରେ ସୁନାମି ଆସିବାରୁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଏଯାବତ୍‌ ୨୦୦ରୁ ଊର୍ଧ୍ୱରେ ପହଞ୍ଚିଛି। ଏଥିସହ ପ୍ରାୟ ୭୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିଂବଦନ୍ତୀ କ୍ରାକତୋଆର ‘ପିଲା’ ଭାବେ ଜଣା ଆଗ୍ନେୟଗିରି ଯୋଗୁଁ ଏହି ସୁନାମି ଆସିଥିବା ଅନୁମାନ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବେଳେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ଧୀରେ ଧୀରେ ଇଣ୍ଡୋନେସିଆର ଏହି ସୁନାମି ହେତୁ ଘଟିଥିବା ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏହି ସୁନାମିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି କି, ଇଣ୍ଡୋନେସିଆରରେ ଏକ କାର୍ଯ୍ୟକ୍ରମର ସିଧାର ପ୍ରସାରଣ ଚାଲିଥିବ ସମୟରେ ଏକ ନାମୀ ପପ ବ୍ୟାଣ୍ଡ ଲହଡିରେ ଭାସି ଯାଇଛି। ଭିଡିଓ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କ ଚିତ୍କାର ସହ ମଞ୍ଚରେ ପରିବେଷଣ କରୁଥିବା ଲୋକ ଭାସି ଯାଉଥିବା ବି ଦେଖିବାକୁ ମିଳୁଛି।

ବ୍ୟାଣ୍ଡ ପାର୍ଟିର ୧୭ଜଣ ସଦସ୍ୟଙ୍କ ମଧ୍ୟରୁ ଏହି ସୁନାମି ଲହଡିରେ ଭାସି ଯାଇ ୪ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ପୁରବାନି, ରୋଡ ମ୍ୟାନେଜର ଓ୍ଵକି ଓ୍ଵିଜୟା, ଗିତାରିଷ୍ଟ ହରମାନ୍‌ ଓ କ୍ରିୟୁ ମେମ୍ବର ଉଜଙ୍ଗ ବୋଲି ସୂଚନା ମିଳିଛି। କେତେ ଜଣ ନିଖୋଜ ବି ଅଛନ୍ତି। ଯେଉଁଥିରେ ଜଣେ ବ୍ୟାଣ୍ଡ ସିଙ୍ଗର ରିଫିୟନଙ୍କ ପତ୍ନୀ ବି ସାମିଲ ଅଛନ୍ତି। ସିଙ୍ଗର ନିଜର ଇନଷ୍ଟାଗ୍ରାରେ ଏକ ଭାବ ବିହ୍ଵଳ ଭିଡିଓ ସେୟାର କରିଛିନ୍ତି। ଯେଉଁଥିରେ ସେ କାନ୍ଦି କାନ୍ଦି ନିଜ ପତ୍ନୀଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି।

ପ୍ରକାଶିତ ରତପୋର୍ଟ ମୁତାବକ: ତାଞ୍ଜୁଙ୍ଗ ଲେସୁଙ୍ଗ ବିଚ୍‌ରେ ବର୍ଷ ଶେଷ ହେବା ନେଇ ‘ସେଟରେଡେ ନାଇଟ’ର ଏହି କାର୍ଯ୍ୟକ୍ରମର ଏକ ଟେଣ୍ଟ ତଳେ ଆୟୋଜନ କରାଯାଇଥିଲା। ମଞ୍ଚରେ ନାଚ ଗୀତ ଚାଲିଥିଲା, ହଠାତ୍‌ ମଞ୍ଚ ପଛପଟୁ ଏକ ବିଶାଳ ଲହଡି ଆସି ମଞ୍ଚକୁ ପୂରା ଧୋଇ ନେଇଥିଲା। ଏହି ଲଡଡି ପାଖାପାଖି ୨୦ ମିଟର ଉଚ୍ଚକୁ ଉଠିଥିଲା। ଯେଉଁଥିରେ ଅନେକ ହଟେଲ ସହିତ ୧୦୦ରୁ ଅଧିକ ଘର ଧୂଳି ସାତ ହେବା ସହିତ ୨୦୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଛି।

ସମ୍ବନ୍ଧିତ ଖବର