ହୁଗୁଳି ବ୍ୟାଙ୍କ ଡକାୟତି: ୨୪ ଘଣ୍ଟାରେ ଲୁଟ୍‌ ଟଙ୍କା ଉଦ୍ଧାର, ୫ ଅଭିଯୁକ୍ତ ଗିରଫ

ମାଷ୍ଟର ମାଇଣ୍ଡ ବିହାରରୁ ସାଇକଲ ଚଲାଇ ଆସିଥିଲା

କୋଲକାତା: ଲକ୍‌ଡାଉନ୍‌ ଯୋଗୁଁ ଅନ୍ୟ ରାଜ୍ୟରେ ରହୁଥିବା ଲୋକେ ସାଇକଲ ଯୋଗେ ନିଜ ଭିଟାମାଟିକୁ ଫେରିଥିବା ଖବର ଦୃଷ୍ଟିକୁ ଆସିଛି। ସେମାନଙ୍କ ଦୁଃଖଦ ଯାତ୍ରା ପାଇଁ ସମସ୍ତେ ଦୁଖ ପ୍ରକାଶ କରିଛନ୍ତି। ହେଲେ ପଶ୍ଚିମବଙ୍ଗରେ ଏଭଳି ଖବର ଭିନ୍ନ ରୂପ ନେଇଛି। ହୁଗୁଳି ଜିଲ୍ଲାରେ ହୋଇଥିବା ବଡ଼ ଧରଣର ବ୍ୟାଙ୍କ ଡକାୟତି କରିଥିବା ଅଭିଯୁକ୍ତ ବିହାରରୁ ସାଇକଲରେ ଆସି ଏଠାରେ ପହଞ୍ଚିଥିଲା। ବ୍ୟାଙ୍କ ଡକାୟତି ହେବାର ମାତ୍ର ୨୪ ଘଣ୍ଟା ଭିତରେ ଚନ୍ଦନନଗର ପୁଲିସ ଲୁଟ୍‌ ହୋଇଥିବା ଟଙ୍କା ସହ ଡକାୟତକୁ ଗିରଫ କରିଛି। ଶନିବାର ଚୁଞ୍ଚୁଡ଼ା ପୁଲିସ ମୁଖ୍ୟାଳୟରେ ପୁଲିସ କମିସନର୍‌ ଡା. ହୁମାୟୁନ କବୀର ସୂଚନା ଦେଇଛନ୍ତି, ଉତ୍ତରପଡ଼ା ରାଜେନ୍ଦ୍ର ଆଭିନ୍ୟୁସ୍ଥିତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖରୁ ଯୋଜନାବଦ୍ଧ ଭାବେ ବନ୍ଧୁକ ଦେଖାଇ ୧୭ ଲକ୍ଷ ୨୮ ହଜାର ୩୨୫ ଟଙ୍କା ଲୁଟ୍‌ ‌ହୋଇଥିଲା। ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ବ୍ୟାଙ୍କ ଲୁଟ୍‌ ହେବାର କିଛି ଘଣ୍ଟା ପରେ ଭଦ୍ରକାଳୀ ମୋଡ଼ରେ ଥିବା ହିନ୍ଦ୍‌ ମୋଟର ପଛପଟ ଜଙ୍ଗଲରେ କିଛି ସନ୍ଦିଗ୍ଧ କାର୍ଯ୍ୟ ହେଉଥିବାର ଖବର ମିଳିଥିଲା । ତୁରନ୍ତ ପୁଲିସ ସେଠାରେ ଚଢ଼ଉ କରି ସଞ୍ଜୟ ପାଶ୍ବାନ ଓରଫ ଛୋଟୁ, ତାପସ ଦାସ ଓରଫ ଗୋପାଳ, ସଂଜୀବ ପାଶ୍ବାନଙ୍କୁ ଗିରଫ କରିଥିଲା। ତାପସ ଓ ସଂଜୀବକୁ ପଚରା ଉଚରା ପରେ ପ୍ରୀତମ୍‌ ଘୋଷ ଓରଫ ବୁବାଇ ଏବଂ ଦେବଜିତ ଓରଫ ବାବୁକୁ ଚୁଞ୍ଚୁଡ଼ାର ରବୀନ୍ଦ୍ର ନଗର ଅଞ୍ଚଳରୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୧୦ ଲକ୍ଷ ୮ ହଜାର ୩୫୦ ଟଙ୍କା ଜବତ ହୋଇଥିଲା। ଅଭିଯୁକ୍ତମାନଙ୍କୁ ପଚରାଉଚରାବେଳେ ଜଣା ପଡ଼ିଥିଲା ଡକାୟତିର ମାଷ୍ଟର ମାଇଣ୍ଡ ପ୍ରୀତମ୍‌ ବିହାରରୁ ସାଇକଲ ଚଲାଇ ହୁଗୁଳିକୁ ଆସିଥିଲା। ପ୍ରୀତମ୍‌ ନାଁରେ ପୁରୁଣା ଅପରାଧିକ ରେକର୍ଡ ରହିଛି। ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ଏକ ବ୍ୟାଙ୍କ ଡକାୟତିରେ ସେ ଗିରଫ ହୋଇଥିଲା। ତା ବିରୋଧରେ ହୁଗୁଳି ଜିଲ୍ଲାର ବିଭିନ୍ନ ଥାନାରେ ବ୍ୟାଙ୍କ, ଗହଣା ଦୋକାନ, ପେଟ୍ରୋଲ ପମ୍ପ ଆଦି ଡ‌ଜନରୁ ଅଧିକ ଡକାୟତି ମାମଲା ରହିଛି।

ସମ୍ବନ୍ଧିତ ଖବର