ନୂଆଦିଲ୍ଳୀ: ବୁଧବାର ସକାଳେ ଭାରତୀୟ ବାୟୁସେନାର ବିମାନରେ ଏକ ମଣିଷ ହୃଦ୍ପିଣ୍ଡ (ହାର୍ଟ)କୁ ନିଆଯାଇ ଆର୍ମି ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓ-ଥୋରାସିକ୍ ସାଇନ୍ସ (ଏଆଇସିଟିଏସ୍) ରେ ଭର୍ତ୍ତି ହୋଇଥିବା ଜଣେ ଯୋଦ୍ଧାଙ୍କୁ ଦିଆଯାଇଛି। ମସ୍ତିଷ୍କ ମୃତ (ବ୍ରେନ୍ ଡେଡ୍) ଜଣେ ମହିଳାଙ୍କଠାରୁ ନିଆଯାଇଥିବା ମସ୍ତିଷ୍କକୁ ନେଇ ଜଣେ ବାୟୁସେନା ସୈନିକଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ନାଗପୁର ଠାରୁ ୭୦୦ କିଲୋମିଟରରୁ ଅଧିକ ରାସ୍ତା ପୁଣେକୁ ଭାରତୀୟ ବାୟୁସେନା ଏଏନ୍-୩୨ ବିମାନରେ ନିଆଯିବା ପୂର୍ବରୁ ସିଭିଲ୍ ପ୍ରଶାସନ ଦ୍ବାରା ପ୍ରଥମେ ଗ୍ରିନ୍ କରିଡର୍ରେ ନିଆଯାଇଥିଲା। ଉଡ଼ାଣ ସମୟ ପ୍ରାୟ ୯୦ ମିନିଟ୍ ଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।
ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ହାର୍ଟ ଡୋନର୍ ବା ହୃଦ୍ପିଣ୍ଡ ଦାତ୍ରୀ ହେଉଛନ୍ତି ଜଣେ ୩୧ ବର୍ଷ ବୟସ୍କା ମହିଳା। ତାଙ୍କ ନାମ ଶୌଭାଙ୍ଗୀ ଗନ୍ୟାରପାୱାର। ସେ ତାଙ୍କ ସ୍ବାମୀ ଏବଂ ଦେଢ଼ ବର୍ଷର ଝିଅ ସହ ନାଗପୁରରେ ରହୁଥିଲେ।
#SavingLives#HarKaamDeshKeNaam
A live human heart was airlifted in an #IAF AN-32 aircraft from Nagpur to Pune this morning to be transplanted in a recipient admitted in the Army Institute of Cardio Thoracic Sciences. (1/2) pic.twitter.com/sEej727zxy— CAC, IAF (@CAC_CPRO) July 26, 2023
ମହିଳା ଜଣକ ଜୁଲାଇ ୨୦ ତାରିଖରେ ନାଗପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରେ ବ୍ରେନ୍ ଡେଡ୍ ବୋଲି ଘୋଷଣା କରାଯାଇଥିଲା। ତାପରେ ନାଗପୁରର ଜୋନାଲ ଟ୍ରାନ୍ସପ୍ଲାଣ୍ଟ କୋର୍ଡିନେଟର୍ ସେଣ୍ଟର୍ର ଦିନେଶ ମାଣ୍ଡପେ ତାଙ୍କ ପରିବାର ସଦସ୍ୟଙ୍କ ସହ ଅଙ୍ଗ ଦାନ ପାଇଁ କଥା ହୋଇଥିଲେ।
ଶୌଭାଙ୍ଗୀଙ୍କ ସ୍ୱାମୀ ଏବଂ ଭାଇଙ୍କ ସହମତିରେ ଚାରି ଜଣ ରୋଗୀଙ୍କୁ ହାର୍ଟ, ଲିଭର ଏବଂ ଦୁଇଟି କିଡ୍ନି ଦାନ କରାଯାଇଛି। ତେବେ ହାର୍ଟଟି ଦିଆଯାଇଛି ୩୯ ବର୍ଷୀୟ ବାୟୁସେନା ସୈନିକଙ୍କୁ।