ୱାସିଂଟନ: ଆଟଲାଣ୍ଟିକ୍ ମହାସାଗର ଭିତରେ ନିଖୋଜ ହୋଇଯାଇଥିବା ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ‘ଟାଇଟନ’ର ସନ୍ଧାନ ମିଳିଛି ଏବଂ ତା’ ଭିତରୁ ମୃତ ବ୍ୟକ୍ତିଙ୍କ ଦେହାବଶେଷ ମିଳିଛି ବୋଲି ଆମେରିକା ତଟରକ୍ଷୀ ବାହିନୀ ବୁଧବାର ପ୍ରକାଶ କରିଛି। ଉକ୍ତ ବୁଡ଼ା ଜାହାଜରେ ୫ ଜଣ ଲୋକ ଥିଲେ ଓ ସମସ୍ତଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ବର୍ତ୍ତମାନ ଆମେରିକାର ଡାକ୍ତରମାନେ ଉକ୍ତ ଦେହାବଶେଷଗୁଡ଼ିକର ବିଶ୍ଳେଷଣ କରିବେ ଏବଂ ଏହା ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କର କି ନା ସ୍ପଷ୍ଟ କରିବେ ବୋଲି ତଟରକ୍ଷୀ ବାହିନୀ ପ୍ରକାଶ କରିଛି।
ଉକ୍ତ ପର୍ଯ୍ୟଟନ ବୁଡ଼ାଯାନରେ ବ୍ରିଟିସ ଗବେଷକ ହାମିସ ହାର୍ଡିଂ, ଫରାସୀ ବୁଡ଼ାଜାହାଜ ବିଶେଷଜ୍ଞ ପଲ-ହେନରି ନାରଜିଓଲେଟ, ପାକିସ୍ତାନୀ-ବ୍ରିଟିସ ବ୍ୟବସାୟୀ ଶାହଜାଦା ଦାଉଦ ଓ ତାଙ୍କ ପୁଅ ସୁଲେମାନ ଏବଂ ପର୍ଯ୍ୟଟନ ବୁଡ଼ାଯାନର ମାଲିକ ଓସେନଗେଟ ଏକ୍ସପେଡିସନ୍ସର ସିଇଓ ଷ୍ଟକ୍ଟନ ରସ୍ ଥିଲେ। ଉତ୍ତର ଆଟଲାଣ୍ଟିକ୍ ମହାସାଗରର ଦୁଇ ମାଇଲରୁ ଅଧିକ ଗଭୀରରେ ପ୍ରବଳ ଜଳଚାପରେ ଏସ୍ୟୁଭି ଆକାରର କ୍ଷୁଦ୍ର ପର୍ଯ୍ୟଟନ ବୁଡ଼ାଯାନଟି ଧ୍ବଂସ ପାଇଯାଇଥିଲା। ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କର ତତ୍କାଳ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବିଧ୍ବସ୍ତ ବୁଡ଼ାଯାନର ଧ୍ବଂସାବଶେଷ ତଥା ମୃତକଙ୍କ କିଛି ଦେହାବଶେଷ ପୂର୍ବ କାନାଡ଼ା ଉପକୂଳରେ ଠାବ କରାଯିବା ପରେ ଏକ କଷ୍ଟକର ଖୋଜା ଅଭିଯାନର ଅନ୍ତ ଘଟିଛି।