ଆଫଗାନିସ୍ତାନରେ ମାନବାଧିକାର ଉଲ୍ଲଂଘନ ହେଉଛି: ହ୍ୟୁମ୍ୟାନ୍ ରାଇଟ୍‌ସ ୱାଚ୍‌

ହାଜରା ଓ ପୂର୍ବ ସରକାରଙ୍କ ସମର୍ଥକଙ୍କୁ ତାଲିବାନଙ୍କ ସାମୂହିକ ଦଣ୍ଡ, ଶୀତ ପୂର୍ବରୁ ଘର ଓ ଜମିରୁ ବେଦଖଲ କରାଯାଉଛି

କାବୁଲ: ଆଫଗାନିସ୍ତାନରେ ତାଲିବାନମାନେ ପୂର୍ବ ସରକାରଙ୍କ ସମର୍ଥକ ଓ ହାଜରା ସମ୍ପ୍ରଦାୟର ଲୋକମାନଙ୍କୁ ଜୋର ଜବରଦସ୍ତ ନିଜ ଘରୁ ଓ ଜମିରୁ ବେଦଖଲ କରୁଥିବା ଏକ ମାନବାଧିକାର ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟରେ ସିଆ ହାଜରା ସମ୍ପ୍ରଦାୟ ତାଲିବାନଙ୍କ ନିଶାଣରେ ସବୁବେଳେ ରହିଆସିଛି। ତା’ଛଡ଼ା ଯେଉଁମାନେ ପୂର୍ବ ସରକାରକୁ ସମର୍ଥନ କରୁଥିଲେ ସେମାନଙ୍କୁ ତାଲିବାନମାନେ ସାମୂହିକ ଦଣ୍ଡ ଦେବାକୁ ଚାହାନ୍ତି। ହ୍ୟୁମ୍ୟାନ୍ ରାଇଟ୍‌ସ ୱାଚ୍‌ର ଏସିଆ ସହଯୋଗୀ ନିର୍ଦ୍ଦେଶକ ପାଟ୍ରିସିଆ ଗସ୍‌ମ୍ୟାନ୍‌ଙ୍କ କହିବା ଅନୁସାରେ ତାଲିବାନମାନେ ନିଜ ସମର୍ଥକମାନଙ୍କୁ ପୁରସ୍କୃତ କରିବା ପାଇଁ ସାଂସ୍କୃତିକ ବିଭେଦ କିମ୍ବା ରାଜନୈତିକ ମତାନୈକ୍ୟ ଥିବା ଲୋକମାନଙ୍କୁ ବଳପୂର୍ବକ ଭିଟାମାଟିରୁ ଉଚ୍ଛେଦ କରୁଛନ୍ତି। ବିନା ଆଇନଗତ ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କୁ ଯେଉଁ ସାମୂହିକ ଦଣ୍ଡ ଦିଆଯାଉଛି ତାହା ମାନବାଧିକାରର ଗୁରୁତର ଉଲ୍ଲଂଘନ। ହାଜରାମାନେ ହେଉଛନ୍ତି ଆଫଗାନିସ୍ତାନର ୩୬ ନିୟୁତ ଲୋକଙ୍କ ଭିତରେ ୯ ପ୍ରତିଶତ। ସେମାନେ ସିଆ ହୋଇଥିବାରୁ ସଂଖ୍ୟାଗରିଷ୍ଠ ସୁନ୍ନି ମୁସଲମାନ ଦେଶରେ ସେମାନଙ୍କୁ ଟାର୍ଗେଟ କରାଯାଇଥାଏ। ତେଣୁ ସେମାନଙ୍କଠାରୁ ଯେଉଁ ଘର ଓ ଜମି ଛଡ଼େଇ ନିଆଯାଉଛି, ତାକୁ ପରେ ତାଲିବାନମାନେ ନିଜ ସମର୍ଥକମାନଙ୍କୁ ବାଣ୍ଟିବେ। ଗତ ସପ୍ତାହରେ ଆମେରିକା ଓ ପୂର୍ବ ଆଫଗାନ ସେନା ଉପରେ ଆତ୍ମଘାତୀ ଆକ୍ରମଣ କରିଥିବା ଲୋକଙ୍କ ପରିବାରଗୁଡ଼ିକୁ ଜମି ଓ ଟଙ୍କା ପୁରସ୍କାର ଦିଆଯିବ ବୋଲି ତାଲିବାନମାନେ ଘୋଷଣା କରିଥିଲେ।

ସୂଚନା ଅନୁସାରେ ବର୍ତ୍ତମାନ କାନ୍ଦାହାର, ହେଲମନ୍ଦ ଓ ଉରୁଜଗାନ୍ ସମେତ ୫ଟି ପ୍ରଦେଶରେ ଲୋକମାନଙ୍କୁ ବଳପୂର୍ବକ ବାସଚ୍ୟୁତ କରାଯାଉଛି। ଅଳ୍ପ କିଛି ଦିନର ବିଜ୍ଞପ୍ତି ଦେଇ ଲୋକଙ୍କୁ ଘରଦ୍ବାର ଛାଡ଼ି ପଳାଇବାକୁ ହୁକୁମ ଦିଆଯାଉଛି। ସେମାନଙ୍କୁ ନିଜ ଘର ବା ଜମିର ମାଲିକାନା ପ୍ରମାଣ କରିବା ପାଇଁ ବି ସୁଯୋଗ ଦିଆଯାଉନାହିଁ। ଅନେକ ଲୋକ କହିଛନ୍ତି ଯେ, ଘର ଛାଡ଼ି ଚାଲିଯିବା ପାଇଁ ସେମାନଙ୍କୁ ଯେଉଁ ଆଦେଶ ଦିଆଯାଇଛି, ତାକୁ ମାନିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ କିମ୍ବା ଏ ଅନ୍ୟାୟ ଆଦେଶ ବିରୋଧରେ ସରକାରଙ୍କ ଆଗରେ ଅଭିଯୋଗ କରିବାର ଅଧିକାର ବି ସେମାନଙ୍କର ନାହିଁ। ଶୀତଋତୁ ଆରମ୍ଭ ସମୟରେ ଲୋକମାନଙ୍କୁ ନିଜ ଘରୁ ତଡ଼ିଦେବା ଭଳି ଅମାନବୀୟ କାର୍ଯ୍ୟ ଆଉ କ’ଣ ଅଛି! ତାଲିବାନମାନେ ଆଜିଯାଏ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି କିଛି ବି ପାଳନ କରିନାହାନ୍ତି। ସେମାନେ ବାରମ୍ବାର ମାନବାଧିକାର ଉଲ୍ଲଂଘନ କରିଚାଲିଛନ୍ତି ବୋଲି ଉକ୍ତ ମାନବାଧିକାର ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର