ଟେକ୍ସାସ୍‌: ଆମେରିକାରେ ମାନବ ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଭାରତୀୟ ବଂଶୋଦ୍ଭବ ନାଗରିକଙ୍କୁ ଟେକ୍ସାସ ପୁଲିସ ଗିରଫ କରିଛି। ସୂଚନାନୁସାରେ, ପେଷ୍ଟ କଣ୍ଟ୍ରୋଲ୍‌ ବିଭାଗ ପକ୍ଷରୁ ସୂଚନା ପାଇ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରିନ୍‌ସଟନ୍‌ କଲିନ୍‌ କାଉଣ୍ଟିର ଗିନ୍‌ସବର୍ଗ ଲେନ୍‌ର ଏକ ଘରେ ପୁଲିସ ଚଢ଼ଉ କରିଥିଲା। ଘରୁ ୧୫ଜଣ ମହିଳାଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ନିକଟରୁ ପୋଷାକପତ୍ର ଓ ଅନେକ ସୁଟ୍‌କେସ୍‌ ମଧ୍ୟ ଜବତ ହୋଇଥିଲା। ସମସ୍ତ ପ୍ରକୋଷ୍ଠରେ କୌଣସି ଆସବାବପତ୍ର ନଥିଲା, କିନ୍ତୁ କଂପ୍ୟୁଟର, ବ୍ଲା‌ଙ୍କେଟ୍‌ ଆଦି ମିଳିଥିଲା। ପଚରାଉଚୁରା ସମୟରେ ମହିଳାମାନେ କହିଥିଲେ, ସନ୍ତୋଷ କାଟକୋରି ଓ ତାଙ୍କ ପତ୍ନୀ ଦ୍ବାରକା ଗୁନ୍ଦାଙ୍କ ଦ୍ବାରା ପରିଚାଳିତ ବେଆଇନ କମ୍ପାନିଗୁଡ଼ିକରେ କାମ କରିବାକୁ ବାଧ୍ୟ କରାଯାଉଥିଲା। ଏହି କମ୍ପାନିଗୁଡ଼ିକ ପ୍ରିନ୍‌ସଟନ୍‌, ମେଲିସା ଓ ମ୍ୟାକ୍‌କିନ୍ନେରେ ରହିଛି। ଏନେଇ ତଦନ୍ତ ଶେଷ ହେବାପରେ ଜୁଲାଇ ୮ରେ ପୁଲିସ ମାମଲା ରୁଜୁ କରିଥିଲା। ଆଜି ଦ୍ବାରକା ଗୁନ୍ଦା, ଚନ୍ଦନ ଦାସିରେଡ୍ଡି, ସନ୍ତୋଷ କାଟକୋରି, ଅନିଲ ମାଲେଙ୍କୁ ପୁଲିସ ଗିରଫ କରିଛି।