ହରିୟାନା ଓ ପୁଣେରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ହ୍ୟୁମାନ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଆମେରିକା, ଋଷିଆ ଓ ଚୀନ କରୋନା ଟିକାର ମାନବ ପରୀକ୍ଷଣ ଆରମ୍ଭ କରିଦେଇଥିବା ବେଳେ ଆମ ଦେଶରେ ମଧ୍ୟ ଭାରତ ବାୟୋଟେକ୍ ପ୍ରସ୍ତୁତ ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ କରିଛି । ଆଜି ହରିଆଣାରେ ୩ ଜଣଙ୍କ ଦେହରେ ଏହି ଟିକା ପ୍ରୟୋଗ କରାଯାଇଛି । ଏହି ସପ୍ତାହରେ ପାଟନାର ଏମ୍ସରେ ମଧ୍ୟ ମାନବ ପରୀକ୍ଷଣ କରାଯାଇଛି । ରୋହତକର ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସରେ ଏହି ପରୀକ୍ଷଣ କରାଯାଉଛି । ମଣିଷ ଉପରେ ଏହି କ୍ଲିନିକାଲ ଟ୍ରାଏଲର ଏହା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ବୋଲି କୁହାଯାଉଛି । ୩ ଜଣ ସ୍ବେଚ୍ଛାସେବୀ  ଶରୀରରେ ଏହି ପରୀକ୍ଷଣ ହୋଇଥିଲା ଏବଂ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ସେମାନେ ଏହାକୁ ସହ୍ୟ କରିନେଇଥିବା ଜଣାପଡିଛି ।

ଏହି ପରୀକ୍ଷଣରେ ସାମିଲ ଥିବା  ପ୍ରଫେସର ଧ୍ରୁବ ଚୌଧୁରୀଙ୍କ ସୂଚନା ଅନୁସାରେ, ୮ଜଣ ସ୍ବେଚ୍ଛାସେବୀଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା ପରେ ୩ଜଣଙ୍କ ଠାରେ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଥିଲା । ସେମାନଙ୍କ ଲିଭର ଠିକ ସେ କାମ କରୁଛି କି ନାହିଁ ଏବଂ କୌଣସି ଇନଫେକସନ ଅଛି କି ନାହିଁ, ଏହା ଜାଣିବା ପରେ ୩ଜଣ ସ୍ବେଚ୍ଛାସେବୀଙ୍କୁ ଦିଆଯାଇଥିଲା ଏହି ଟିକା । ତେବେ ଟିକା ଦେବା ପରେ ପ୍ରାୟ ୨ ଘଣ୍ଟା ପାଇଁ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଠାରେ ଆଉ କି ପ୍ରତିକ୍ରିୟା ଦେଖାଯାଉଛି ତା’ଉପରେ ମଧ୍ୟ ନଜର ରଖାଯାଇଛି । ସିନିଅର ପ୍ରଫେସର ଚୌଧୁରୀଙ୍କ ଅନୁସାରେ, ପଶୁମାନଙ୍କ ଉପରେ ଏହି ଟିକାର ସଫଳ ପରୀକ୍ଷଣ ହୋଇସାରିଛି । ତେବେ ମଣିଷ ଉପରେ ଚାଲିଥିବା କ୍ଲିନିକାଲ ଟ୍ରାଏଲର ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ ୬ମାସ ସମୟ ଲାଗିବ ବୋଲି ଜଣା ପଡିଛି ।

ହରିୟାନା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ ଟ୍ୱିଟ କରି କହିଛନ୍ତି, କୋଭାକ୍ସିନର ପରୀକ୍ଷଣ ୩ ଜଣଙ୍କ ଉପରେ ହୋଇଛି, ସମସ୍ତେ ଏହାକୁ ସହ୍ୟ କରିନେଇଛନ୍ତି ଏବଂ ସେମାନଙ୍କ ଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ ।  ତେବେ ୨ ଦିନ ପୂର୍ବରୁ ପାଟନାର ଏମସରେ ମଧ୍ୟ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଥିଲା । ୧୦ଜଣ ସ୍ବେଚ୍ଛାସେବୀଙ୍କ ଠାରେ ଏହାର ପ୍ରଥମ ଡୋଜ ଦିଆଯାଇଛି । ୧୪ଦିନ ବିଶ୍ରାମ ପରେ ଦ୍ୱିତୀୟ ଡୋଜ ଦିଆଯିବ । ତେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ଏବେ ନଜର ରଖାଯାଇଛି ।

ସମ୍ବନ୍ଧିତ ଖବର