ନୂଆଦିଲ୍ଲୀ: ମାରାତ୍ମକ ନିପା ଭାଇରସ ପାଇଁ ସିଏଚ୍ଏଡିଓକ୍ସ୧ ଏନ୍ଆଇଭି ନାମକ ଟିକାର ସଫଳ ପ୍ରି-କ୍ଲିନିକାଲ ପରୀକ୍ଷଣ ପରେ ଏହା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୮ରୁ ୫୫ ବର୍ଷ ବୟସର ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଉଛି ବୋଲି ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନ ପ୍ରତିଷ୍ଠାନର ଜଣେ ମୁଖପାତ୍ର କହିଛନ୍ତି। ଏହି ରୋଗ ପାଇଁ ଆଗରୁ କୌଣସି ଟିକା ନ ଥିବାରୁ ଏହି ପରୀକ୍ଷଣରେ ଆଷ୍ଟ୍ରାଜେନେକା ଏବଂ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ୍-୧୯ ଟିକାର ବିକାଶ ଭଳି ସମାନ ଜ୍ଞାନକୌଶଳ ବ୍ୟବହାର କରାଯିବ।
ମାରାତ୍ମକ ନିପା ଭୂତାଣୁରୁ ରକ୍ଷା ପାଇବା ପାଇଁ ଏକ ଟିକା ତିଆରି କରିବା ପ୍ରୟାସରେ ଏହି ପରୀକ୍ଷଣ ଏକ ପଦକ୍ଷେପ ବୋଲି କୋଆଲିସନ୍ ଫର୍ ଏପିଡେମିକ୍ ପ୍ରିପେୟାର୍ଡନେସ୍ ଇନୋଭେସନ୍ସ (ସିଇପିଆଇ)ର କାର୍ଯ୍ୟନିର୍ବାହୀ ଡକ୍ଟର ଇନ୍-କ୍ୟୁ ୟୁନ୍ କହିଛନ୍ତି। ଅକ୍ସଫୋର୍ଡ ଭ୍ୟାକ୍ସିନ ଗ୍ରୁପ୍ ଏହାର ନେତୃତ୍ୱ ନେଉଥିବା ବେଳେ ମାନବ ପରୀକ୍ଷଣ ପାଇଁ ସିଇପିଆଇ ଅର୍ଥ ଯୋଗାଉଛି। ନିପା ପ୍ରଭାବିତ ଦେଶରେ ପରବର୍ତ୍ତୀ ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି।
ନିପା ଭୂତାଣୁ ସଂକ୍ରମଣ ବାଦୁଡ଼ି ଓ ଘୁଷୁରି ଭଳି ସଂକ୍ରମିତ ପ୍ରାଣୀଙ୍କଠାରୁ ମଣିଷକୁ ବ୍ୟାପୁଛି। ହୁ ଅନୁଯାୟୀ, ସଂକ୍ରମିତ ବ୍ୟକ୍ତିଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ସଂକ୍ରମଣ ହୋଇପାରେ। ପ୍ରାୟ ୨୫ ବର୍ଷ ପୂର୍ବେ ମାଲେସିଆରେ ପ୍ରଥମେ ଏହା ଚିହ୍ନଟ ହୋଇଥିଲା ଏବଂ ପରେ ବାଂଲାଦେଶ, ଭାରତ ଓ ସିଙ୍ଗାପୁରରେ ଏହା ବ୍ୟାପିବାରେ ଲାଗିଛି। ସେପ୍ଟେମ୍ବର ୨୦୨୩ରେ ଭାରତର କେରଳରେ ୫ ବର୍ଷ ମଧ୍ୟରେ ଚତୁର୍ଥ ନିପା ସଂକ୍ରମଣ ଦେଖିବାକୁ ମିଳିଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଝିକୋଡ଼ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ସମେତ ୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି।