ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ସାଧାରଣ ଅଧିବେଶନରେ ବୈଶ୍ବିକ ଶାନ୍ତି ଉପରେ ଗୁରୁତ୍ବାରୋପ କରିଛନ୍ତି। ଜାତିସଂଘ ସାଧାରଣ ଅଧିବେଶନରେ ସମିଟ୍ ଅଫ୍ ଦି ଫ୍ୟୁଚର୍ରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ‘ ମାନବିକତାର ସଫଳତା ଆମ ସାମୁହିକ ଶକ୍ତିରେ ରହିଛି, ଯୁଦ୍ଧକ୍ଷେତ୍ରରେ ନୁହେଁ’। ବୈଶ୍ବିକ ଶାନ୍ତି ଏବଂ ବିକାଶ ପାଇଁ ବୈଶ୍ବିକ ଅନୁଷ୍ଠାନରେ ସଂସ୍କାର ଆସିବା ଗୁରୁତ୍ବପୂର୍ଣ୍ଣ। ସଂସ୍କାର ହେଉଛି ପ୍ରାସଙ୍ଗିକତାର ଚାବିକାଠି। ସମ୍ମିଳନୀରେ ମୋଦୀ ମଧ୍ୟ ଭାରତ କିଭଳି ନିରନ୍ତର ବିକାଶ ଦ୍ବାରା ଲୋକଙ୍କ ଗରିବୀରୁ ବାହାର କରିଛି ତାହା କହିଛନ୍ତି। ମୋଦୀ କହିଛନ୍ତି, ଏକ ଷଷ୍ଠାଂଶ ମାନବିକତାର ସ୍ବର ନେଇ ମୁଁ ଏଠାକୁ ଆସିଛି। ଭାରତରେ ଆମେ ୨୫୦ ନିୟୁତ ଲୋକଙ୍କୁ ଗରିବୀ ସୀମାରେଖାରୁ ବାହାର କରିଛୁ ଏବଂ ନିରନ୍ତର ବିକାଶ ସଫଳ ହୋଇପାରିବ ବୋଲି ଦେଖାଇ ଦେଇଛୁ।
ବୈଶ୍ବିକ ବିକାଶ ପାଇଁ ବୈଶ୍ବିକ ଅନୁଷ୍ଠାନରେ ସଂସ୍କାର ଆବଶ୍ୟକ
ଏକ ଷଷ୍ଠାଂଶ ମାନବିକତାର ସ୍ବର ନେଇ ମୁଁ ଏଠାକୁ ଆସିଛି
ବିଶ୍ବ ଶାନ୍ତି ପାଇଁ ଆତଙ୍କବାଦ ଲଗାତାର ବଡ଼ ବିପଦ ହୋଇଛି
ଆମେ ବୈଶ୍ବିକ ଦକ୍ଷିଣରେ ଏହି ସଫଳତାର ଅନୁଭୂତିକୁ ବାଣ୍ଟିବାପାଇଁ ପ୍ରସ୍ତୁତ ଅଛୁ। ମୋଦୀ ମଧ୍ୟ ବଢ଼ୁଥିବା ସାଇବର ଅପରାଧ ସଂକ୍ରାନ୍ତରେ କହିଛନ୍ତି। ମୋଦୀ କହିଛନ୍ତି, ବୈଶ୍ବିକ ଶାନ୍ତି ଏବଂ ସୁରକ୍ଷା ପାଇଁ ଆତଙ୍କବାଦ ଲଗାତାର ଭାବେ ଏକ ବଡ଼ ବିପଦ ହୋଇ ରହିଥିବାବେଳେ ଅନ୍ୟପକ୍ଷେ ସାଇବର୍, ଜଳଭାଗ ଏବଂ ଆକାଶମାର୍ଗ ଏବେ ସଂଘର୍ଷର ନୂଆ ମଞ୍ଚ ଭାବେ ଉଭା ହୋଇଛି। ଏଦିଗରେ ବୈଶ୍ବିକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଉଚିତ ବୋଲି ମୋଦୀ କହିଛନ୍ତି।
ସେହିପରି ସୁରକ୍ଷିତ ଟେକନୋଲୋଜିର ବ୍ୟବହାର ପାଇଁ ମୋଦୀ ସନ୍ତୁଳିତ ନିୟାମକର ଆବଶ୍ୟକତା ସଂକ୍ରାନ୍ତରେ କହିଛନ୍ତି। ମୋଦୀ କହିଛନ୍ତି, ଆମେ ବିଶ୍ବ ସ୍ତରରେ ଏଭଳି ଡିଜିଟାଲ୍ ଗଭର୍ଣ୍ଣାସ୍ ଚାହୁଛୁ ଯାହାଦ୍ବାରା ଦେଶ ଗୁଡ଼ିକର ସାର୍ବଭୌମତ୍ବ ଏବଂ ସଂହତି ଅକ୍ଷତ ରହିବ। ଡିପିଆଇ ( ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର) ପ୍ରତିବନ୍ଧକ ପରିବର୍ତ୍ତେ ସେତୁ ସଦୃଶ ହେବା ଆବଶ୍ୟକ। ବିଶ୍ବର ମଙ୍ଗଳ ପାଇଁ ଭାରତ ଏହାର ଡିପିଆଇକୁ ଅନ୍ୟମାନଙ୍କୁ ଦେବାଲାଗି ପ୍ରସ୍ତୁତ ଅଛି। ଭାରତ ପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ହେଉଛି ଏକ ପ୍ରତିଶ୍ରୁତିବଦ୍ଧତା।