ବୈଜ୍ଞାନିକଙ୍କ ମତ: ଚନ୍ଦ୍ରରେ ଥିବା ଗୁମ୍ଫାଗୁଡ଼ିକରେ ମଣିଷ ବାସ କରିପାରିବେ

ନୂଆଦିଲ୍ଲୀ : ମଣିଷର ଚନ୍ଦ୍ର ଅଭିଯାନ ବହୁକାଳୁ ଆରମ୍ଭ ହେଲାଣି। କିନ୍ତୁ ଚନ୍ଦ୍ରରେ କ’ଣ ମଣିଷ ବାସ କରିପାରିବ? ଆଶା ଛାଡ଼ିନାହାନ୍ତି ବୈଜ୍ଞାନିକମାନେ, ଗବେଷଣା ଜାରି ରଖିଛନ୍ତି। ଏବେ ବୈଜ୍ଞାନିମାନେ ଆବିଷ୍କାର କରିଥିବା ଏକ ନୂତନ ତଥ୍ୟ ସେ ଆଶାକୁ ଉଜ୍ଜୀବିତ କରିଛି।

ମଣିଷ ବାସ କରିବା ପାଇଁ ଜଳ ଓ ଅମ୍ଳଜାନଯୁକ୍ତ ବାୟୁର ଉପସ୍ଥିତି ସହ ଉପଯୁକ୍ତ ତାପମାତ୍ରା ଏକାନ୍ତ ଆବଶ୍ୟକ। ଏବେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ କେତେକ ଗୁମ୍ଫା ଠାବ କରିଛନ୍ତି, ଯାହା ଭିତରର ତାପମାତ୍ରା ମଣିଷର ବାସୋପଯୋଗୀ। ଏହି ଗୁମ୍ଫାଗୁଡ଼ିକର ଭିତରର ତାପମାତ୍ରା ୧୭ ଡିଗ୍ରି ସେଲ୍‌ସିୟସ୍‌ର ଆଖପାଖରେ ସର୍ବଦା ରହିଥାଏ। କିନ୍ତୁ ଦିନବେଳା ଖରା ପଡ଼ୁଥିବା ଚନ୍ଦ୍ରପୃଷ୍ଠର ତାପମାତ୍ରା ୧୨୭ ଡିଗ୍ରି ସେଲ୍‌ସିୟସ୍ ଯାଏ ବୃଦ୍ଧି ପାଉଥିବା ବେଳେ ରାତିରେ ଏହା ବିଯୁକ୍ତ ୧୭୩ ଡିଗ୍ରି ଯାଏ ଖସିଯାଏ।

ଲୁନାର ରିକନେସାନ୍ସ ଅର୍ବିଟର (ଏଲ୍‌ଆର୍‌ଓ)ର ତଥ୍ୟକୁ ବ୍ୟବହାର କରି ବୈଜ୍ଞାନିକ ଏହି ଗୁମ୍ଫାଗୁଡ଼ିକ ଠାବ କରିଛନ୍ତି। ଭବିଷ୍ୟତରେ ଚନ୍ଦ୍ରପୃଷ୍ଠକୁ ଯେଉଁ ମହାକାଶଚାରୀମାନେ ଯିବେ ସେମାନେ ଏହିସବୁ ଗୁମ୍ଫାକୁ ନିଜର ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିପାରିବେ। ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ନାମକ ଜର୍ଣ୍ଣାଲର ଚଳିତ ସଂଖ୍ୟାରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର