ନୂଆଦିଲ୍ଲୀ: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସାମୁଦ୍ରିକ ଚିଙ୍ଗୁଡ଼ିଧରାଳିଙ୍କୁ ଗୋଟାଏ କୁଜପିଠିଆ ତିମି ଗିଳିପକାଇ ପୁଣି ପାଟିରୁ ବାହାର କରି ଦେଇଥିବା କଥା ସେ କହିଛନ୍ତି।

Advertisment

ତିମି ପାଟିରୁ ବର୍ତ୍ତିଥିବାର କିଛି ସମୟ ପରେ ୫୬ ବର୍ଷିୟ ମତ୍ସ୍ୟଜୀବୀ ମାଇକେଲ୍‌ ପ୍ୟାକାର୍ଡ ଫେସ୍‌ବୁକ୍‌ରେ ଲେଖିଛନ୍ତି, ସେ ପାଣି ଉପରକୁ ଉଠି ମତେ ପାଟିରୁ ବାହାର କରିବା ପୂର୍ବରୁ ତା’ର ବନ୍ଦ ପାଟି ଭିତରେ ମୁଁ ପ୍ରାୟ ୩୦ ରୁ ୪୦ ସେକେଣ୍ଡ୍‌ ରହିଥିଲି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଗୋଟାଏ କୁଜାପିଠିଆ ପ୍ରକାଣ୍ଡ ତିମି ମୋତେ ଖାଇବାକୁ ବସିଥିଲା। ମୁଁ କ୍ଷତବିକ୍ଷତ ହୋଇଯାଇଥିଲେ ବି ମୋର କୌଣସି ହାଡ଼ ଭାଙ୍ଗିନାହିଁ।

ଡାକ୍ତରଖାନାରୁ ରିଲିଜ୍‌ ହେବା ପରେ ଆଞ୍ଚଳିକ ଖବରକାଗଜ ‘କେପ୍‌ କୋଡ୍‌ ଟାଇମ୍‌ସ୍‌’କୁ ପ୍ୟାକାର୍ଡ ତାଙ୍କର ଏହି ଅବିଶ୍ବସନୀୟ ଦାନବୀୟ ମାଛ ଗ୍ରାସ କାହାଣୀ କହିଛନ୍ତି। ସେ କହିଛନ୍ତି, ମାସାଚ୍ୟୁସେଟ୍‌ସ୍‌ ପ୍ରଦେଶର ଉତ୍ତରପୂର୍ବ ଉପକୂଳରେ ଚିଙ୍ଗୁଡ଼ି ଧରିବା ପାଇଁ ସେ ବୁଡ଼ ମାରୁଥିବା ବେଳେ ଏଭଳି ଅକଳ୍ପନୀୟ ଘଟଣା ଘଟିଲା।

publive-image Image Courtesy of WBUR

ହଠାତ୍‌ ଗୋଟାଏ ଶକ୍ତ ଧକ୍କା ଖାଇବା ପରି ମୋର ମନେହେଲା। ତା’ପରେ ମତେ ଚାରିଆଡ଼ ଅନ୍ଧାର ଦିଶିଲା। କିଛି କ୍ଷଣ ପରେ ମୁଁ ବାହାରର ଆଲୁଅ ଦେଖିଲି। ଆଉ ଦେଖିଲି ସେ ଏକଡ଼ ସେକଡ଼ ମୁଣ୍ଡ ବୁଲାଉଛି। ସେତେବେଳେ ଜାଣିଲି ମୁଁ ତା’ ପାଟିରୁ ବାହାରି ପାଣିରେ ପଡ଼ିଛି।

ସମୁଦ୍ର ପାଣିରେ ପ୍ରାୟ ୩୦ ଫୁଟ୍‌ ଗଭୀରକୁ ବୁଡ଼ିଥିଲା ବେଳେ ପ୍ରଥମେ ତାଙ୍କର ମନେ ହେଲା ବୋଧହୁଏ ଧଳା ହାଙ୍ଗରଟାଏ (ସାର୍କ) ତାଙ୍କୁ ଆକ୍ରମଣ କରିଛି। କିନ୍ତୁ, ତା’ର ଦାନ୍ତ ନ ଥିବା ଏବଂ ନିଜ ଦେହରେ ନ କ୍ଷତ ହେବାରୁ ତାହା ହାଙ୍ଗର ନୁହେଁ ବୋଲି ତାଙ୍କର ମନେହେଲା। ତାଙ୍କ ଭାଷାରେ, ମୁଁ ଗୋଟାପଣ ତା’ ପାଟିରେ ଥିଲି। ଚାରିଆଡ଼େ ଘନ ଅନ୍ଧାର। ଭାବିଲି, ଏଠୁ ନିସ୍ତାର ପାଇବାର ଉପାୟ ନାହିଁ। କଥା ସରିଲା, ଏଥର ମୁଁ ମଲି। ସେତେବେଳେ ଖାଲି ମୋ ୧୨ ଓ ୧୫ ବର୍ଷିୟ ପୁଅ ଦୁଇଟାଙ୍କ କଥା ମନକୁ ଆସୁଥିଲା।

ତିମିଟି ପାଣି ଉପରକୁ ଉଠି ପ୍ୟାକାର୍ଡଙ୍କୁ ପାଟିରୁ ବାହାର କରିବା ବେଳେ ତାଙ୍କର ସାଥୀ ମତ୍ସ୍ୟଜୀବୀ ଜୋସିଆ ମାୟୋ ବି ସମୁଦ୍ରର ସେ ଅଞ୍ଚଳରେ ଜଳ-ବିସ୍ଫୋରଣ ହେବା ପରି ଦୃଶ୍ୟ ଦେଖିଥିବା କଥା କହିଛନ୍ତି।

ମାସାଚ୍ୟୁସେଟ୍‌ସ୍‌ସ୍ଥିତ ପ୍ରୋଭିନ୍ସ୍‌ଟାଉନ୍‌ରେ ଥିବା ‘ସେଣ୍ଟର୍‌ ଫର୍‌ କୋଷ୍ଟାଲ୍‌ ଷ୍ଟଡିଜ୍‌’ର ‘ହମ୍ପ୍‌ବ୍ୟାକ୍‌ ହ୍ବେଲ୍‌ ଷ୍ଟଡିଜ୍‌’ର ନିର୍ଦେଶକ ଜୁକି ରବିନ୍‌ସ୍‌ କହନ୍ତି, ଏ ଘଟଣାକୁ ଅବିଶ୍ବାସ କରିବାର କୌଣସି କାରଣ ନାହିଁ। ଏଭଳି ଅଘଟଣ ଘଟିଥିବା କଥା ମୁଁ କେବେ ଶୁଣିନାହିଁ ସତ କିନ୍ତୁ, ଏହି ପ୍ରକାରର ଅନ୍ୟାନ୍ୟ ଘଟଣା ଅଙ୍ଗେନିଭାଇ ଥିବା ଲୋକଙ୍କୁ ମୁଁ ଜାଣେ।

ଆହାର ସନ୍ଧାନୀ ତିମି ପାଟି ମେଲା କରି ପାଣିରେ ଖୁବ୍‌ ଦ୍ରୁତ ବେଗରେ ମାଡ଼ି ଆସୁଥାଏ। ଏହି ସମୟରେ ମାଛ, ପାଣି ଏବଂ ଅନ୍ୟ ଯାହା ତା’ ପାଟିରେ ପଶେ ସେ ତୁରନ୍ତ ଗିଳି ପକାଏ। ମାଛ ଗିଳି ପକାଇ ପରେ ପାଟିରୁ ପାଣି ବାହାର କରିଦିଏ। ତିମିର ପାଟି ବଡ଼, କିନ୍ତୁ ତଣ୍ଟି ସରୁ ହୋଇଥିବାରୁ ମଣିଷକୁ ଗିଳି ପାରେ ନାହିଁ ବୋଲି ସେ କହିଛନ୍ତି।