ପ୍ରଥମ ବିଶ୍ବଯୁଦ୍ଧକୁ ଶହେ ପୂରିଲା, ଭାରତୀୟଙ୍କ ବୀରତ୍ବଙ୍କୁ ଭୁଲିନି ବିଶ୍ବ

୭୪ହଜାର ଭାରତୀୟ ସହିଦ ହୋଇଥିଲେ, ମନ ପକାଇଲେ ବ୍ରିଟେନ୍‌ ରାଣୀ

ନୂଆଦିଲ୍ଲୀ: ୧୯୧୪ରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବଯୁଦ୍ଧରେ ଅବିଭାଜିତ ଭାରତର ହଜାର ହଜାର ସୈନିକ ଭାଗନେଇ ନିଜ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଯୁଦ୍ଧର ଅନ୍ତିମ ଦିନରେ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକରେ ଏହାକୁ ଏକ ଐତିହାସିକ ଦିବସ ଭାବେ ପାଳନ କରାଯାଉଛି। ଏହି ଯୁଦ୍ଧରେ ଭାରତୀୟ ସୈନିକଙ୍କ ଭୂମିକାକୁ ଅତି ସମ୍ମାନର ସହିତ ଆଜି ମଧ୍ୟ ସ୍ମରଣ କରାଯାଏ। ୧୯୧୮ ନଭେମ୍ବର ୧୧ ତାରିଖରେ ଏହି ବିଶ୍ବଯୁଦ୍ଧ ସମାପ୍ତ ହୋଇଥିଲା। ଆଜି ଏହାକୁ ୧୦୦ ବର୍ଷ ପୂରିଛି। ଏହି ଯୁଦ୍ଧ ବେଳେ ସମୁଦ୍ର ମଧ୍ୟଦେଇ ଯାତ୍ରା କରିବା ଭାରତରେ ଅଶୁଭ ବିବେଚନା କରାଯାଉଥିଲା। କିନ୍ତୁ ଏହି ଐତିହାସିକ ଯୁଦ୍ଧରେ ଭାରତର ୧୩ ଲକ୍ଷ ସୈନିକ ଅଂଶଗ୍ରହଣ କରିଥିଲେ। ଏମାନେ ସମସ୍ତ ବାଧା ପ୍ରତିବନ୍ଧକକୁ ଏଡ଼ାଇ ସମୁଦ୍ର ପାରିହୋଇ ଅନ୍ୟ ରା‌ଷ୍ଟ୍ରଗୁଡ଼ିକରେ ନିଜ ସୌର୍ଯ୍ୟ, ପରାକ୍ରମ ଓ ସାହସିକତାର ପ୍ରଦର୍ଶନ କରିଥିଲେ। ୪ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତର ୭୪,୦୦୦ ସୈନ୍ୟ ସହିଦ ହୋଇଥିଲେ। ୭୦,୦୦୦ ସୈନିକ ଆହତ ହୋଇଥିଲେ। ଆଜି ଏହି ବିଶ୍ବଯୁଦ୍ଧର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଶ୍ବରେ ଭାରତୀୟ ସୈନିକଙ୍କ ବୀରତ୍ବକୁ ସମ୍ମାନ କରାଯାଉଛି। ଭାରତ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ। ୧୯୧୪ ଜୁଲାଇ ୨୮ରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବଯୁଦ୍ଧରେ ସାମିଲ ହୋଇ ଭାରତୀୟ ସୈନିକ ପୂର୍ବ ଆଫ୍ରିକା, ଫ୍ରାନ୍ସ, ପର୍ସିଆ ଭଳି ରାଷ୍ଟ୍ରକୁ ସମୁଦ୍ର ପାରି ହୋଇ ଯାଇଥିଲେ। ସ୍ବତନ୍ତ୍ର ତାଲିମ ପାଇନଥି‌ବା ସତ୍ତ୍ବେ ସେମାନେ ବଡ଼ ବଡ଼ ଜାହାଜରେ ଯାତ୍ରା କରି ଶତ୍ରୁପକ୍ଷଙ୍କ ସହ ଯୁଦ୍ଧ କରିଥିଲେ। ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ ୯୦ ଲକ୍ଷ ସୈନିକ ପ୍ରାଣ ହରାଇଥିଲେ ଏବଂ ୭୦ ଲକ୍ଷ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏଥିରେ ୩୦ରୁ ଅଧିକ ରାଷ୍ଟ୍ର ଭାଗନେଇଥିଲେ। ଯଦିଓ ଏହି ଯୁଦ୍ଧରେ ଭାରତ ପତ୍ୟକ୍ଷ ଭାବେ ଜଡ଼ିତ ନଥିଲା, କିନ୍ତୁ ଏହାର ସୈନିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ୧୦୦ ବର୍ଷ ପୂର୍ତ୍ତି ଅବସରରେ ବ୍ରି‌ଟେନ୍‌ରେ ଅନୁଷ୍ଠିତ ଏକ ଉତ୍ସବରେ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟ ସହିଦମାନଙ୍କୁ ସ୍ମରଣ କରିଥିଲେ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ଗତ ସପ୍ତାହ‌ରେ ସଂସଦରେ ଅବିଭାଜିତ ଭାରତର ୭୪,୦୦୦ ସହିଦଙ୍କୁ ସ୍ମରଣ କରିଥିଲେ। ଏମାନଙ୍କ ଭୂମିକାକୁ ବିଶ୍ବବାସୀ ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର