ସାହେବଗଞ୍ଜ(ଝାଡ଼ଖଣ୍ଡ): ମାଟି, କାଦୁଅ ଖାଇ ୧୦୦ ବର୍ଷର ସୁସ୍ଥ ଜୀବନ ବିତାଇବା କଥା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଏପରିକି ଏହି କଥାର ପ୍ରମାଣ ନିକଟରେ ଆଧୁନିକ ସ୍ୱାସ୍ଥ୍ୟ ବିଜ୍ଞାନ ମଧ୍ୟ ହାର ମାନିଯିବ। ତେବେ ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲାର ଶତାୟୁ କାରୁ ପାଶ୍ଓ୍ଵାନ୍ ଗତ ୯୦ ବର୍ଷ ଧରି ଦୈନିକ ୧ କେଜି ମାଟି ଓ କାଦୁଅ ଖାଇ ସୁସ୍ଥ ରହିବା ଘଟଣା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି।
ସୂଚନାନୁସାରେ, ୧୯୧୭ ମସିହାରେ ଜନ୍ମିତ କାରୁ ପାଶ୍ଓ୍ଵାନ୍ ଜଣେ ଗରିବ ଚାଷୀ। ତାଙ୍କୁ ୧୧ ବର୍ଷ ବୟସ ହୋଇଥିବା ବେଳେ ଦାରିଦ୍ର୍ୟ ତାଡ଼ନାରେ ଖାଇବାକୁ ନପାଇ ସେ ମାଟି ଖାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ଏପରିକି ବିବାହ ପରେ ମଧ୍ୟ ଏହି ଅଭ୍ୟାସ ଛାଡ଼ିବାକୁ ସେ ଅନେକ ଥର ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛନ୍ତି। ଅପରପକ୍ଷେ, ନିଜର ୯ଜଣ ସନ୍ତାନଙ୍କ ପାଳନପୋଷଣ କତାଙ୍କ ପକ୍ଷରେ କଷ୍ଟକର ହେଉଥିଲା। ତେଣୁ ସେ ନିଜ ଜୀବନ ପ୍ରତି ବିତୃଷ୍ଣ ହୋଇ ମାଟି ଖାଇବା ଜାରି ରଖିଥିଲେ। ବର୍ତମାନ ସେ ଦିନକୁ ପାଖାପାଖି କେଜିଏ ମାଟି ଓ କାଦୁଅ ଖାଉଛନ୍ତି। ଯେଉଁଦିନ ଏହି ନିଆରା ଖାଦ୍ୟରୁ ସେ ବଞ୍ଚିତ ହେଉଛନ୍ତି, ସେଦିନ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଉଛି ବୋଲି କାରୁ କହିଛନ୍ତି। କାରୁଙ୍କ ଏହି ବିରଳ ଚଳଣି ସମ୍ପର୍କରେ ଶୁଣି ବିହାରର ସାବର କୃଷି ବିଦ୍ୟାଳୟ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ। ପରୀକ୍ଷାରେ କାରୁଙ୍କ ଶରୀର ସୁସ୍ଥ ରହିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା। ଏହିଭଳି ବିରଳ ଅଭ୍ୟାସକୁ ଶରୀର ବିଜ୍ଞାନ ଭାଷାରେ ପିକା ସିଣ୍ଡ୍ରୋମ୍ ବୋଲି କୁହାଯାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp