ଭଲ ଖବର: କରୋନା ସଂକ୍ରମିତ ମାଆମାନଙ୍କ ଠାରୁ ଶତାଧିକ ସୁସ୍ଥ ଶିଶୁ ଜନ୍ମ

ମୁମ୍ବାଇ: ସ୍ଥାନୀୟ ଲୋକମାନ୍ୟ ତିଳକ ମ୍ୟୁନିସପାଲ୍‌ ଜେନେରାଲ୍‌ ହସ୍ପିଟାଲ୍‌ରେ ଗତ ମାସକ ମଧ୍ୟରେ କ‌ରୋନା ସଂକ୍ରମିତ ମାଆଙ୍କଠାରୁ ୧୧୫ ଶିଶୁ ଜନ୍ମ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ପ୍ରଥମେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ ମଧ୍ୟ ପରେ ସେମାନଙ୍କ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ମିଳିଥିବା ସୂଚନାନୁଯାୟୀ ହସ୍ପିଟାଲ୍‌ରେ ୨ ଜଣ କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ଗର୍ଭବତୀ ମହିଳାଙ୍କର ଛୁଆ ଜନ୍ମ ଦେବା ପୂର୍ବରୁ ମୃତ୍ୟୁ ହୋଇଛି।

ତେବେ ଏହି କ‌ରୋନା ସଂକ୍ରମିତ ମାଆମାନଙ୍କୁ ୪୦ ଶଯ୍ୟା ବିଶିଷ୍ଟ ସ୍ପେସାଲ୍‌ ୱାର୍ଡ‌୍‌ରେ ୬୫ ଜଣ ଡାକ୍ତର ଏବଂ ପ୍ରାୟ ୨୫ ଜଣ ନର୍ସ ଚିକିତ୍ସା କରୁଥିଲେ। ତେବେ ସଂକ୍ରମଣ ମାମଲା ବଢ଼ିବା ପରେ ଲୋକମାନ୍ୟ ତିଲକ ଜେନେରାଲ୍‌ ହସ୍ପିଟାଲ୍‌ରେ ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପାଇଁ ପୁଣି ୩୪ଟି ଶଯ୍ୟା ବଢ଼ାଯାଇଛି। ତେବେ ସଂକ୍ରମଣର ଶିକାର ହୋଇଥିବା ଅଧିକାଂଶ ଗର୍ଭବତୀ ମହିଳାଙ୍କଠାରେ କୌଣସି ଲକ୍ଷଣ ନଥିଲା। ତଥାପି କେତେଜଣଙ୍କୁ ଜ୍ବର ହୋଇଥିବା ବେଳେ ଆଉ କେତେଜଣଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଥିଲା। ସଂକ୍ରମିତ ‌ମାଆଙ୍କଠାରୁ ଜନ୍ମିତ ଶିଶୁଙ୍କ ସଂଖ୍ୟା, ସେଇ ସମୟ ମଧ୍ୟରେ ଜନ୍ମ ହୋଇଥିବା ଅନ୍ୟ ଶିଶୁଙ୍କଠାରୁ ୨୦ % ବେଶି।

ସମ୍ବନ୍ଧିତ ଖବର