କୋଲକାତାରେ ଶତାଧିକ ଜମାଟୋ କର୍ମଚାରୀଙ୍କ ଇସ୍ତଫା

କୋଲକାତା: ସମଗ୍ର ଦେଶ କରୋନା ସହ ଲଢ଼ୁଥିବାବେଳେ ସୀମାରେ ଚୀନ୍‌ର ଦାଦାଗିରିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଦେଶବାସୀ । ଗଲୱାନା ଘାଟୀରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନେକ ସହରରେ ବଡ଼ ବଡ଼ ହୋଟେଲମାନଙ୍କରେ ଥିବା ଚୀନ୍‌ ନାଗରିକଙ୍କୁ ବହିଷ୍କାର କରାଯାଇଛି। ଏବେ ଟାର୍ଗେଟ୍‌ରେ ରହିଛି ଚୀନ୍‌ ପୁଞ୍ଜି ନିବେଶ କରିଥିବା କମ୍ପାନି। ସମ୍ପ୍ରତି ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନି ‘ଜମାଟୋ’ର ଶତାଧିକ ଡେଲିଭରି ବୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କମ୍ପାନି ଟି’ସାର୍ଟକୁ ଚିରିବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେମାନେ କହିଛନ୍ତି, ଆମେ ପରିଶ୍ରମ କରି ଉପାର୍ଜନ କରୁଥିବା ଅର୍ଥକୁ କୌଣସି ପ୍ରକାରେ ଚୀନ୍‌କୁ ଦେବୁ ନାହିଁ। ଆମ ଟଙ୍କାରେ ହତିଆର କିଣି ଆମ ଉପରେ ଆକ୍ରମଣ କରିବ? ଆମ ଯବାନମାନଙ୍କୁ ମାରିବ? ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ। ଆମେ ପଛେ ଭୋକରେ ରହିବୁ ହେଲେ ଚୀନ୍‌ କମ୍ପାନିରେ କାମ କରିବୁ ନାହିଁ। ଚୀନ୍‌ ପୁଞ୍ଜି ଖଟାଇଥିବା କମ୍ପାନିକୁ ଆମେ ବର୍ଜନ କରୁଛୁ। ଏଭଳି ଘଟଣା କୋଲକାତାର ବେହେଲା ଅଞ୍ଚଳରେ ଦେଖିବାକୁ ମିଳିଛି।

ହୋଟେଲରେ ଚୀନ୍‌ ନାଗରିକଙ୍କୁ ନୋ ଏଣ୍ଟ୍ରି ଭାରତ-ଚୀନ୍‌ ସୀମା ବିବାଦକୁ ଦୃଷ୍ଟିରେ ରଖି କୋଲକାତାର ବଡ଼ ବଡ଼ ହୋଟେଲଗୁଡ଼ିକରେ ଚୀନ୍‌ ନାଗରିକମାନଙ୍କ ରହଣି ଉପରେ ଅଙ୍କୁଶ ଲାଗିଛି। ବାଣିଜ୍ୟିକ କାରବାର‌େ ଏଠାକୁ ଆସୁଥିବା ଚୀନ୍‌ ନାଗରିକମାନେ ପାର୍କଷ୍ଟ୍ରୀଟ୍‌, ରାୟଡ଼ ଷ୍ଟ୍ରୀଟ୍‌, ଫ୍ରି ସ୍କୁଲ୍‌ ଷ୍ଟ୍ରୀଟ୍‌, ମିର୍ଜା ଗାଲିବ ଷ୍ଟ୍ରୀଟ୍‌ର ବିଭିନ୍ନ ହୋଟେଲମାନଙ୍କରେ ରହିଥାନ୍ତି। ଅଧିକାଂଶ ହୋଟେଲ ମାଲିକ ସେମାନଙ୍କୁ ବେଇମାନ କହିବା ସହ ତାଙ୍କ ପାଇଁ ହୋଟେଲ ଦରଜା ବନ୍ଦ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର