ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ବିତୀୟ ଲହର ଭୟାନକ ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ସରକାର ନିଷ୍ଠାର ସହ କାମ କରୁନାହାନ୍ତି ବୋଲି ୧୦୦ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଉଦ୍‌ବେଗ ଜଣାଇଛନ୍ତି। ସରକାର ମହମାରୀ ସମୟରେ ରାଜ୍ୟମାନଙ୍କୁ ଅଧିକ ସମ୍ବଳ ଯୋଗାଇବା ବଦଳରେ ‘ସେଣ୍ଟ୍ରାଲ ଭିଷ୍ଟା’ ଭଳି ପ୍ରକଳ୍ପରେ ଅର୍ଥ ବରବାଦ କରୁଛନ୍ତି ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି ।

Advertisment

କରୋନା ସଂକ୍ରମଣକୁ ନେଇ ଦେଶରେ ଅତି ଗମ୍ଭୀର ପରିସ୍ଥିତି ସମୟରେ ମଧ୍ୟ ସରକାର ଏହାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି ‌ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଭଳି ସୁଧାର ଆଣିବା କଥା ତାହା ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ଦେଶବାସୀଙ୍କ ଜୀବନ ଏବେ ଘୋର ସଙ୍କଟ ଦେଇ ଗତି କରୁଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ମହମାରୀର ମୁକାବିଲା ପାଇଁ ଏଭଳି ସରକାରୀ ଅବହେଳା ଅକ୍ଷମଣୀୟ ବୋଲି ଦର୍ଶାଇ ପୂର୍ବ ଅଧିକାରୀମାନେ କହିଛନ୍ତି ଯେ ସରକାରଙ୍କ ଆତ୍ମସନ୍ତୁଷ୍ଟି ପାଇଁ ମାମଲା ଆଗକୁ ଆହୁରି ଜଟିଳ ରୂପ ନେବ । କେନ୍ଦ୍ର ସରକାରଙ୍କ ଆତ୍ମ ନିର୍ଭର ଭାରତ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଛି ଏବଂ ଏବଂ ଦେଶ ମେଡିକାଲ ଉପକରଣ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରୁଛି। ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ କେଉଁଠି କେତେ ଖର୍ଚ୍ଚ ହେଲା ତାହା ମଧ୍ୟ ସ୍ପଷ୍ଟ କରାଯାଉନାହିଁ ବୋଲି ପୂର୍ବତନ ଅମଲାମାନେ ଅଭିଯୋଗ କରିଛନ୍ତି।