ନୂଆଦିଲ୍ଲୀ: କେତେକ ସ୍ଥାନରେ ଲୋକମାନେ ଦୀପାବଳି ପର୍ବକୁ ଅତି ନିଆରା ଶୈଳୀରେ ପାଳନ କରନ୍ତି । ପ୍ରତିବର୍ଷ ତାମିଲନାଡୁ ଏବଂ କର୍ଣ୍ଣାଟକ ସୀମାରେ ଥିବା ଗୁମାତାପୁରା ଗାଁର ଲୋକମାନେ ପରସ୍ପର ଉପରେ ଗାଈ ଗୋବର ଫିଙ୍ଗି ଦୀପାବଳି ପର୍ବକୁ ବିଦାୟ ଦେଇ ଥାଆନ୍ତି। ଏହାକୁ ସ୍ଥାନୀୟ ଭାଷାରେ ‘ଗୋରେହବା’ ପର୍ବ ବୋଲି କୁହାଯାଇଥାଏ । ଗୁମାତାପୁରା ଗାଁର ସ୍ଥାନୀୟ ଲୋକମାନେ ଦଶନ୍ଧି ଧରି ଏହି ପର୍ବ ପାଳନ କରି ଆସୁଛନ୍ତି।
ଗୁମାତାପୁରା ଗାଁରେ ରହୁଥିବା ପିଲା ଠାରୁ ବୃଦ୍ଧ ଏହି ଗୋବର ଉତ୍ସବରେ ଭାଗ ନେଇଥାନ୍ତି। ଏହି ଉତ୍ସବରେ ଭାଗ ନେଉଥିବା ଲୋକମାନେ ଗାଁରେ ଗାଈ ରଖୁଥିବା ଲୋକଙ୍କ ଘରକୁ ଯାଇ ଗୋବର ସଂଗ୍ରହ କରିଥାଆନ୍ତି। ଏହା ପରେ କିଛି ପୂଜାପାଠ ଓ ସ୍ଥାନୀୟ ରୀତିନୀତି ଅନୁଯାୟୀ ଗାଈ ଗୋବରକୁ ଟ୍ରାକ୍ଟର ଦ୍ୱାରା ଗାଁ ମନ୍ଦିରକୁ ଅଣାଯାଏ । ପରେ ଗୋବରକୁ ଖୋଲା ସ୍ଥାନରେ ରଖାଯାଏ । ଲୋକମାନେ ସେଠାରେ ଏକତ୍ରିତ ହୋଇ ପରସ୍ପର ଉପରେ ଗୋବର ଫିଙ୍ଗା ଫିଙ୍ଗି ହୋଇଥାଆନ୍ତି। ଏହି ଉତ୍ସବ ସମୟରେ ଲୋକମାନେ ବହୁତ ଖୁସି ଥିବା ଦେଖିବାକୁ ମିଳେ। |
କୁହାଯାଏ ଏହି ପର୍ବ ପୁରାତନ ପରମ୍ପରାର ଏକ ଅଂଶ । ଏହା ଦୀପାବଳି ପର୍ବର ଏକ ଅଂଶ ଭାବରେ ପାଳନ କରାଯାଏ । ଏହି ପର୍ବକୁ ଦୀପାବଳି ପର୍ବର ସମାପ୍ତି ଭାବରେ ମଧ୍ୟ ଦେଖାଯାଏ । କୁହାଯାଏ ଯେ ଏଠାରେ ଥିବା ଲୋକମାନେ ବହୁ ବର୍ଷ ଧରି ଏହି ପର୍ବ ପାଳନ କରିଆସୁଛନ୍ତି। ଏହି ପର୍ବ ଦେଖିବାକୁ ଲୋକମାନେ ଦୂରଦୂରାନ୍ତରୁ ଆସିଥାନ୍ତି । ଏହି ଉତ୍ସବ ଦେଖିବାକୁ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଏକାଠି ହୁଅନ୍ତି । ଏହି ଗାଈ ଗୋବର ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।