ଗଙ୍ଗା ସ୍ନାନ ଉପରେ ଲାଗିଥିଲା କଟକଣା, ନିୟମ ଭାଙ୍ଗି ଗଙ୍ଗାରେ ବୁଡ଼ ପକାଇଲେ ଶହ ଶହ ଲୋକ

ହରିଦ୍ୱାର: ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ ହରିଦ୍ୱାରର ଗଙ୍ଗା କୂଳରେ ଶହ ଶହ ଭକ୍ତ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି | କରୋନା ମହାମାରୀ ପାଇଁ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିବା ବେଳେ ଲୋକେ ଖୁଲମ ଖୁଲା ନିୟମ ଉଲ୍ଲଙ୍ଘନ କରି ଗଙ୍ଗାରେ ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି | ଏହି ସମାନ ଦୃଶ୍ୟ ଉତ୍ତରପ୍ରଦେଶର ଫାରୁଖବାଦ୍ ସହରରେ ମଧ୍ୟ ଦେଖିବାକୁ ମିଳିଛି | ଲୋକେ ଉଭୟ ସ୍ଥାନରେ ମାସ୍କ ନପିନ୍ଧିବା ଶହ ସାମାଜିକ ଦୂରତା ଅବଲମ୍ବନ ନକରି ବୁଡ଼ ପକାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଗତକାଲି ଜୁନ୍ ୨୦ ଏବଂ ଜୁନ୍ ୨୧ରେ ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଗଙ୍ଗା ସ୍ନାନକୁ କରୋନା ମହାମାରୀ କାରଣରୁ ରଦ୍ଦ କରିଦିଆଯାଇଥିବା ନେଇ ପ୍ରଶାସନ ଘୋଷଣା କରିଥିଲା | ବରିଷ୍ଠ ପୋଲିସ୍ ଅଧୀକ୍ଷକ ଡି ସେଣ୍ଟିଲ୍ ଅବୁଦାଇ କୃଷ୍ଣରାଜ ଏସ୍ କହିଥିଲେ ଯେ ଜୁନ୍ ୨୦ ଏବଂ ୨୧ରେ ବାହାର ରାଜ୍ୟରୁ ଭକ୍ତମାନେ ହରିଦ୍ୱାରକୁ ଆସିବା ଉଚିତ୍ ନୁହେଁ। କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଥିବାରୁ ଲୋକମାନେ ଘରେ ରହିବା ଉଚିତ | ଗଙ୍ଗା ଦଶହରା ଏବଂ ନିର୍ଜଳା ଏକାଦଶୀ ସ୍ନାନ ପର୍ବରେ ହର କି ପୌରୀ ଘାଟରେ ଏକ ସାଙ୍କେତିକ ସ୍ନାନ ହେବ | ଏହି ସାଙ୍କେତିକ ସ୍ନାନରେ, କେବଳ ତୀର୍ଥ ପୁରୋହିତ ଏବଂ ଗଙ୍ଗା ସଭାର ଅଧିକାରୀମାନେ ସ୍ନାନ କରିପାରିବେ | ହର୍ କି ପୌରୀ ଏବଂ ଅନ୍ୟାନ୍ୟ ଘାଟରେ ସାଧାରଣ ଭକ୍ତମାନେ ପବିତ୍ର ବୁଡ଼ ପକାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ।

indiatoday.in

ହେଲେ ଆଜି ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି | ଲୋକେ କରୋନା ଭଳି ଭୟଙ୍କର ଭୂତାଣୁ ବିଷୟରେ ଭୁଲି ଏଭଳି ନିୟମ ଉଲ୍ଲଙ୍ଘନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏବେ ଏତେ ସଂଖ୍ୟକ ଲୋକ ବୁଡ଼ ପକାଇବା ପରେ ଜିଲ୍ଲା ପ୍ରଶାସନ ସମାଲୋଚନାର ଶିକାର ହୋଇଛି |

ସମ୍ବନ୍ଧିତ ଖବର