କାବୁଲ ପାସପୋର୍ଟ ଅଫିସ ଆଗରେ ଶହ ଶହ ଲୋକଙ୍କ ଭିଡ଼, ସମସ୍ତେ ଆଫଗାନିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି

କାବୁଲ : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସେଠାକାର ଲୋକେ ଯେକୌଣସି ମତେ ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଛନ୍ତି । ଆଜି କାବୁଲସ୍ଥିତ ଆଫଗାନିସ୍ତାନର ପାସପୋର୍ଟ ଅଫିସ ଖୋଲିବା ପରେ ସେଠାରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା । ଅଫିସରେ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ନଥିବାବେଳେ ହଠାତ ଶହ ଶହ ଲୋକ ଜମା ହେବାରୁ ସେଠାରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏପରିକି ଲୋକମାନଙ୍କୁ ଘଉଡ଼େଇବାକୁ ତାଲିବାନର ସୁରକ୍ଷାକର୍ମୀମାନଙ୍କୁ ଲାଠିମାଡ଼ କରିବାକୁ ପଡ଼ିଥିଲା । ଫଳରେ ଅଧିକାଂଶ ଲୋକ ନିରାଶ ହୋଇ ଫେରିଯାଇଥିଲେ ।

ଗତ ଅଗଷ୍ଟ ମାସରେ ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ପରେ ସେଠାକାର ଲୋକଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି । ଏପରିକି ଲୋକମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଉନାହାନ୍ତି । ଗତ ଅଗଷ୍ଟ ମାସରେ ଦୁଇଜଣ ବ୍ୟକ୍ତି ବିମାନ ଚକରେ ଓହଳି ବାହାରକୁ ଯିବାକୁ ଉଦ୍ୟମ କରୁଥିବାବେଳେ ଖସିପଡ଼ି ପ୍ରାଣ ହରାଇଥିଲେ । ଏହା ସତ୍ତ୍ବେ ଲକ୍ଷ ଲକ୍ଷ ବ୍ୟକ୍ତି ଆଫଗାନିସ୍ତାନ ଛାଡ଼ି ଚାଲିଯିବାକୁ ସକ୍ଷମ ହୋଇଛନ୍ତି ।

ଜାତିସଂଘ ଶରଣାର୍ଥୀ ସଂସ୍ଥାର ଅଟକଳ ଅନୁସାରେ ଗତ ଅଗଷ୍ଟଠାରୁ ଆଜିସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକ ଆଫଗାନିସ୍ତାନ ଛାଡ଼ି ବିଦେଶକୁ ଚାଲିଯିବାକୁ ସକ୍ଷମ ହୋଇଛନ୍ତି । ଆଗକୁ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି ।

 

ସମ୍ବନ୍ଧିତ ଖବର