ହିମାଚଳରେ ଝୁଲା ବିଧାନସଭା ସମ୍ଭାବନା : ଏବିପି ନ୍ୟୁଜ-ସି ଭୋଟର ସର୍ଭେ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୧୨ ତାରିଖରେ ଭୋଟ ଗ୍ରହଣ ହେବ । ଏଥିପାଇଁ ୧୦ ତାରିଖ ସଂଧ୍ୟାରେ ପ୍ରଚାର ସମାପ୍ତ ହେବ। ଏହାର ଦିନକ ପୂର୍ବରୁ ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ ଏକ ମତାମତ ସର୍ଭେ ବା ଓପିନିୟନ ପୋଲ ପ୍ରକାଶ ପାଇଛି ।

ଏଥିରେ କୁହାଯାଇଛି ଯେ ହିମାଚଳରେ ଏଥର କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିପାରେ  । ବିଜେପିକୁ ୩୧ରୁ ୩୯ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ୨୯ରୁ ୩୭ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିପରି ଆମ ଆଦମି ପାର୍ଟି (ଆପ)କୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି ।

୨୦୧୭ ନିର୍ବାଚନରେ ବିଜେପି  ୪୪ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୨୧ଟି ଆସନରେ ବିଜୟୀ ହୋଇଥିଲା ।

ଅନ୍ୟପକ୍ଷରେ ଆଗାମୀ ନିର୍ବାଚନରେ ବିଜେପିକୁ ୪୭ ପ୍ରତିଶତ ଭୋଟ ଓ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଛି ବୋଲି ଏହି ମତାମତ ସର୍ଭେରେ କୁହାଯାଇଛି । ଗତ ଥର ବିଜେପିକୁ ୪୮.୮ ପ୍ରତିଶତ ଓ କଂଗ୍ରେସକୁ ୪୧ ପ୍ରତିଶତ ଭୋଟ ମିଳିଥିଲା ।

ହିମାଚଳ ପ୍ରଦେଶ ପ୍ରତି ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପାଇଁ ଜଣାଶୁଣା । ରାଜ୍ୟର ଲୋକମାନେ ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳାଇବାରେ ବିଶ୍ୱାସ କରନ୍ତି । ତେବେ ଏଥର ଏହି ଇତିହାସ ବଦଳାଇବାକୁ ଲକ୍ଷ୍ୟ ରଖିଛି ବିଜେପି ।

ସମ୍ବନ୍ଧିତ ଖବର