ସିଲଂ : ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଗଢିବା ନେଇ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ମେଘାଳୟରେ ସ୍ଥିତି ଅସ୍ପଷ୍ଟ ରହିଛି । ରାଜ୍ୟ ଏକ ଝୁଲା ବିଧାନସଭା ଆଡ଼କୁ ଗତି କରୁଛି । ଏହା ଫଳରେ ରାଜ୍ୟରେ ରାଜନୈତିକ ପାଣିପାଗ ହଠାତ ଗରମ ହୋଇଯାଇଛି ।

Advertisment

ରାଜ୍ୟ ବିଧାନସଭାରେ ୫୯ଟି ଆସନ ଥିବାବେ​ଳେ ସରକାର ଗଢିବାକୁ ୩୧ ଆସନ ଆବଶ୍ୟକ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଦଳ ଏନପିପି ୨୫ଟି ଆସନରେ ବିଜୟ ହାସଲ କରିଛି କିମ୍ବା ଆଗୁଆ ରହିଛି । ବିଜେପି ମାତ୍ର ୩ଟି ଆସନରେ ବିଜୟ ହାସଲ କରିଛି । ରାଜ୍ୟରେ ଏବେ ଏନପିପି ବିଜେପି ମେଣ୍ଟ ସରକାର ଥିଲେ ବି ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢୁଛନ୍ତି । ଉଭୟ ଦଳ ପୁଣି ମେଣ୍ଟ କଲେ ବି ସରକାର ଗଢିବାକୁ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ୟକ । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ୫ଟି ଆସନରେ ବିଜୟ ହାସଲ କରିଛି । ଯଦି ଏନପିପି ଓ ଟିଏମସି ମେଣ୍ଟ କରନ୍ତି ତେବେ ବି କିଛି ସ୍ବାଧୀନ ପ୍ରାର୍ଥୀଙ୍କ ସହଯୋଗରେ ସରକାର ଗଠନ ହୋଇପାରିବ । ସେହିପରି କଂଗ୍ରେସ ବି ୫ଟି ଆସନ ପାଇଛି । ଏଣୁ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ଟିିଏମସି ମିଶି ଏନପିପିକୁ ସମର୍ଥନ କରିପାରନ୍ତି ।

ଏଣୁ ଉଭୟ ବିଜେପି ଓ ଟିଏମସି ଏନପିପି ସହ ମେଣ୍ଟ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଗତ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ସାଙ୍ଗମା ଆସାମ ରାଜଧାନୀ ଗୌହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଗୋପନ ଆଲୋଚନା କରିଥିଲେ । ଏଥିରୁ ପୁଣି ବିଜେପି ଏନପିପି ମେଣ୍ଟ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।