ନୂଆଦିଲ୍ଲୀ: ପର୍ବତାରୋହଣ ବେଳେ ହିମାଳୟ ପର୍ବତ ଶ୍ରେଣୀର ଉମାଶିଳାରେ ବାଟବଣା ହୋଇଯାଇଥିବା ଜଣେ ହଙ୍ଗେରୀୟ ନାଗରିକଙ୍କୁ ଭାରତୀୟ ସେନା ଓ ବାୟୁସେନାର ମିଳିତ ଟିମ୍‌ ଦୀର୍ଘ ୩୦ ଘଣ୍ଟା ଅଭିଯାନ ଚଳାଇବା ପରେ ଜମ୍ମୁ ଓ କଶ୍ମୀରର କିସ୍ତୱାର୍‌ ଜିଲ୍ଲାରେ ଠାବ କରି ଉଦ୍ଧାର କରିଥିବା କଥା ଶନିବାର ଦିନ କହିଛି।

Advertisment

ଅକ୍କୋଏସ୍‌ ଭର୍ମେସ୍‌ ନାମରେ ୩୮ ବର୍ଷିୟ ଉକ୍ତ ବ୍ୟକ୍ତିଜଣକ ସମୁଦ୍ର ପତ୍ତନଠାରୁ ୭,୦୦୦ ଫୁଟ୍‌ ଉଚ୍ଚ ଉମାଶିଳା ଘାଟିରେ ବାଟବଣା ହୋଇଯାଇଥିଲେ। ଚିକିତ୍ସା ନିମନ୍ତେ ଭାରତୀୟ ବାୟୁସେନା ତାଙ୍କୁ ହେଲିକପ୍ଟରରେ ଯୋଗେ ଉଧାମପୁର ନେଇଛି। ଏହା ପୂର୍ବରୁ, ତାଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ଅଣାଯିବା କ୍ଷଣି ସେନାର ଡାକ୍ତରମାନେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ।

publive-image Image Courtesy of India Today

ଏଥିପାଇଁ ହଙ୍ଗେରିର ବୁଦାପେଷ୍ଟସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ସେନାକୁ କୃତଜ୍ଞତା ଜଣାଇବା ସହ ‘ରେସ୍‌କ୍ୟୁ-ଅପରେସନ୍‌ ଭୁଜାସ୍‌-ଉମାଶି ଳା’ରେ ସମ୍ପୃକ୍ତ ଥିବା ସମଗ୍ର ଟିମ୍‌କୁ ପ୍ରଶଂସା କରି ଏହାକୁ ଗୌରବ ଓ ପ୍ରତିବଦ୍ଧତାର ବିଷୟ ବୋଲି କହିଛି। ଭାରତୀୟ ଦୂତାବାସର ଏହି ପୋଷ୍ଟ୍‌କୁ ଭାରତୀୟ ସେନାର ୧୬ କର୍ପସ୍‌ ମଧ୍ୟ ସେୟାର୍‌ କରିଛି।

ଭିଡିଓ ବାର୍ତ୍ତା ଦେଇ ଅକ୍କୋଏସ୍‌ ଭର୍ମେସ୍‌ ମଧ୍ୟ କହିଛନ୍ତି, ମତେ ଠାବ କରି ଉଦ୍ଧାର କରିଥିବାରୁ ଭାରତୀୟ ସେନା ଓ ବାୟୁସେନାକୁ କୃତଜ୍ଞତା ଜଣାଉଛି। ତଲାସକାରୀ ଦଳ ଏବଂ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଥିବା ସମସ୍ତଙ୍କ ପ୍ରତି ମୁଁ କୃତଜ୍ଞ।

ଭେର୍ମେସ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ କିସ୍ତୱାର୍‌ ଡେପୁଟି କମିସନର୍ ଭିଡିଓ କଲ୍‌ ମାଧ୍ୟମରେ ହଙ୍ଗେରୀୟ ଦୂତାବାସକୁ ଅବଗତ କରାଇଛନ୍ତି।