ନୂଆଦିଲ୍ଲୀ : ଭାରତରେ କ୍ଷୁଧା ସ୍ତର ଏବେ ବି ଗମ୍ଭୀର ରହିଛି। ଉଚ୍ଚତା ତୁଳନାରେ ଶିଶୁଙ୍କ ଓଜନ ଠାରୁ ଆରମ୍ଭ କରି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା କ୍ଷେତ୍ରରେ ଭାରତର ସ୍ଥିତି ଭଲ ନାହିଁ। ଶିଶୁଙ୍କ ଉଚ୍ଚତା ତୁଳନାରେ ଓଜନରେ ଭାରତର ହାର ୧୯.୩ ପ୍ରତିଶତ ରହିଛି, ଯାହାକି ବିଶ୍ବରେ ସର୍ବାଧିକ। ସେହିଭଳି ୨୯.୧ ପଏଣ୍ଟ ସହିତ ଭାରତରେ କ୍ଷୁଧାର ସ୍ତରକୁ ଗମ୍ଭୀର ବୋଲି ଦର୍ଶାଯାଇଛି।
ପଡ଼ୋଶୀ ଦେଶଗୁଡ଼ିକର ସ୍ଥିତିକୁ ଦେଖିଲେ ଆଫଗାନିସ୍ତାନକୁ ଛାଡ଼ିଲେ ଅନ୍ୟମାନଙ୍କ ତୁଳନାରେ ଭାରତ ବିଶ୍ବ କ୍ଷୁଧା ସୂଚୀରେ ବହୁ ପଛରେ ପଡ଼ିଛି। ୧୨୧ଟି ଦେଶକୁ ନେଇ ପ୍ରସ୍ତୁତ ଉକ୍ତ ସୂଚୀରେ ଭାରତ ୧୦୭ତମ ସ୍ଥାନରେ ରହିଥିବାବେଳେ ପାକିସ୍ତାନ ୯୯ତମ, ବାଂଲାଦେଶ ୮୪ତମ, ନେପାଳ ୮୧ତମ ଏବଂ ଶ୍ରୀଲଙ୍କା ୬୪ତମ ସ୍ଥାନରେ ରହିଛନ୍ତି। କେବଳ ଆଫଗାନିସ୍ତାନ ଭାରତର ଦୁଇଟି ସ୍ଥାନ ତଳେ ଅର୍ଥାତ୍ ୧୦୯ତମ ସ୍ଥାନରେ ରହିଛି। ୨୦୨୦ ମସିହାରେ ୧୧୬ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ବିଶ୍ବ କ୍ଷୁଧା ସୂଚୀ ତାଲିକାରେ ଭାରତ ୧୦୧ତମ ସ୍ଥାନରେ ଥିବାବେଳେ ୨୦୨୦ରେ ୯୪ତମ ସ୍ଥାନରେ ରହିଥିଲା।
ଚିନ୍ତାର ବିଷୟ ହେଲା ଯେ ଅପପୁଷ୍ଟି ପାଇଁ ଶିଶୁମାନଙ୍କ ବିକାଶର ବାଧକ ହାର ୧୯.୩ ପ୍ରତିଶତ ରହିଛି। ବିଶ୍ବର ଅନ୍ୟ ସବୁ ଦେଶ ତୁଳନାରେ ଭାରତରେ ଏହି ହାର ଅଧିକ। ଏଥିପାଇଁ ଦକ୍ଷିଣ ଏସିଆ ବିଶ୍ବର ସବୁଠୁ ଅଧିକ କ୍ଷୁଧା ଅଞ୍ଚଳ ଭାବେ ବିବେଚିତ ହୋଇଛି। ବୟସ ଅନୁପାତରେ ଶିଶୁମାନଙ୍କର ଉପଯୁକ୍ତ ବିକାଶ ହୋଇ ନଥିବା ଅଞ୍ଚଳ ଭାବେ ଦକ୍ଷିଣ ଏସିଆ କୁଖ୍ୟାତି ଲାଭ କରିଛି।
ଶିଶୁମାନଙ୍କ ଉପଯୁକ୍ତ ବିକାଶ ହୋଇ ନଥିବା କ୍ଷେତ୍ରରେ ଭାରତ, ପାକିସ୍ତାନ ଏବଂ ଆଫଗାନିସ୍ତାନର ହାର ୩୫ରୁ ୩୮ ପ୍ରତିଶତ ମଧ୍ୟରେ ରହିଛି। ତେବେ ଆଶ୍ବାସନାର ବିଷୟ ହେଲା ଭାରତ ଏ କ୍ଷେତ୍ରରେ ବିଗତ ବର୍ଷ ମଧ୍ୟରେ ଉନ୍ନତି କରିଛି। ୨୦୧୨ରୁ ୨୦୧୬ ମଧ୍ୟରେ ଭାରତରେ ଶିଶୁମାନଙ୍କ ଉପଯୁକ୍ତ
ବିକାଶ ହାର ୩୮.୭ ପ୍ରତିଶତ ଥିବାବେଳେ ସଂପ୍ରତି ଏହା ୩୫.୫ ପ୍ରତିଶତ ରହିଛି। ସେହିଭଳି ଶିଶୁ ମୃତ୍ୟୁହାରରେ ଭାରତର ସ୍ଥିତିରେ କିଛିଟା ସୁଧାର ଆସିଛି। ୨୦୧୪ରେ ଭାରତରେ ଶିଶୁ ମୃତ୍ୟୁହାର ୪.୬ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୩.୩ ପ୍ରତିଶତକୁ ହ୍ରାସ ପାଇଛି।
୨୦୧୮ରୁ ୨୦୨୦ରେ ଭାରତର ଅପପୁଷ୍ଟି ହାର ୧୪.୬ ପ୍ରତିଶତ ରହିଥିଲା। ୨୦୧୯ରୁ ୨୦୨୧ରେ ଏହି ହାର ୧୬.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଫଳରେ ଭାରତରେ ୨୨.୪୩ କୋଟି ଲୋକ ଅପପୁଷ୍ଟି କବଳରେ ପଡ଼ିଛନ୍ତି, ଯେତେବେଳେ ସାରା ବିଶ୍ବରେ ଏମାନଙ୍କ ସଂଖ୍ୟା ୮୨.୮ କୋଟି ରହିଛି।
୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ଭାବେ ଉଚ୍ଚତା ଅନୁସାରେ ଉପଯୁକ୍ତ ଓଜନ ନହେବାକୁ ବିବେଚନା କରାଯାଉଥିଲେ ମଧ୍ୟ ଭାରତର ସ୍ଥିତି ଏ କ୍ଷେତ୍ରରେ ଖରାପ ହେବାରେ ଲାଗିଛି। ୨୦୧୨ରୁ ୨୦୧୬ ମଧ୍ୟରେ ଏହା ୧୫.୧ ପ୍ରତିଶତ ଥିବାବେଳେ ୨୦୧୭ରୁ ୨୦୨୧ରେ ଏହା ୧୯.୩ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଶିଶୁମାନଙ୍କ ଅନୁପଯୁକ୍ତ ବିକାଶ ହାର ହ୍ରାସ କେଉଁସବୁ କାରଣ ଦାୟୀ ସେ ସଂପର୍କରେ ଗବେଷକମାନେ ୨୦୦୬ରୁ ୨୦୧୬ ମଧ୍ୟରେ ଓଡ଼ିଶା, ଛତିଶଗଡ଼, ଗୁଜରାଟ ଏବଂ ତାମିଲନାଡ଼ୁରେ ଅନୁଧ୍ୟାନ କରିଛନ୍ତି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ମୁଖ୍ୟତଃ ସ୍ବାସ୍ଥସେବା ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ, ପରିବାରଗୁଡ଼ିକର ସ୍ଥିତିରେ ଉନ୍ନତି, ମା’ମାନଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାରେ ଉନ୍ନତି ଲାଗି ଏହା ହୋଇଛି। ବିଶ୍ବରୁ କ୍ଷୁଧା ଦୂର ପାଇଁ ହେଉଥିବା ଉଦ୍ୟମ କ୍ଷେତ୍ରରେ ବର୍ତ୍ତମାନ ଚାରିଟି ବିଷୟ ସମସ୍ୟା ଭାବେ ଉଭା ହୋଇଛି। ସେଗୁଡ଼ିକ ହେଲା ସଂଘର୍ଷ, ଜଳବାୟୁ ସଂକଟ, କୋଭିଡ-୧୯ର ଅର୍ଥନୈତିକ ପରିଣତି ଏବଂ ରୁଷ-ୟୁକ୍ରେନ ଯୁଦ୍ଧ।
ବିଶ୍ବ କ୍ଷୁଧା ସୂଚୀରେ ଭାରତ ଖରାପ ସ୍ଥାନରେ ଥିବାରୁ ବିରୋଧୀ ନେତାମାନେ ସରକାରଙ୍କୁ ସମାଲୋଚନା କରିଥିବା ବେଳ କେନ୍ଦ୍ର ସରକାର ଏହାର ତୀବ୍ର ସମାଲୋଚନା କରିଛନ୍ତି। ଉକ୍ତ କ୍ଷୁଧା ମାପ ଭୁଲ ଏବଂ ମାପ ପଦ୍ଧତିରେ ଗୁରୁତର ସମସ୍ୟା ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଭାରତର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଥିବା ଏଥିରେ କୁହାଯାଇଛି।