କ୍ଷୁଧାର୍ତ୍ତ ଆଫଗାନ୍‌ ଅଳ୍ପବୟସ୍କା ଝିଅଙ୍କୁ ବିବାହ ପାଇଁ ବିକ୍ରି କରୁଛନ୍ତି

କାବୁଲ: ଗରିବ ଆଫଗାନମାନେ କ୍ଷୁଧା-ତାଡ଼ିତ ହୋଇ ଅଳ୍ପବୟସ୍କା ଝିଅମାନଙ୍କୁ ବିବାହ ପାଇଁ ବିକ୍ରି କରିଦେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆଫଗାନିସ୍ତାନରେ ଅନେକ ଶତାବ୍ଦୀ ଧରି ବାଲ୍ୟ ବିବାହ ପ୍ରଚଳିତ। କିନ୍ତୁ ଯୁଦ୍ଧ ଓ ଜଳବାୟୁ ପରିବର୍ତ୍ତନ-ଜନିତ ଦାରିଦ୍ର୍ୟ ଏବେ ଏକ ବର୍ଷରୁ କମ୍ ଝିଅମାନଙ୍କୁ ମଧ୍ୟ ବିକ୍ରି କରିବାକୁ ବାଧ୍ୟ କରୁଛି। ମରୁଡ଼ିଗ୍ରସ୍ତ ପଶ୍ଚିମ ଆଫଗାନିସ୍ତାନରେ ସ୍ବାମୀ ଯେତେବେଳେ ନିଜେ ବଞ୍ଚିବା ପାଇଁ ଦୁଇ ଝିଅଙ୍କୁ ବିବାହ ନାମରେ ବିକ୍ରି କରିବା ନିମନ୍ତେ ଚୁକ୍ତି କରିଦେଲେ ସେତେବେଳେ ଫାହିମା ବହୁତ କାନ୍ଦିଥିଲେ। ଦୁଇ ଝିଅଙ୍କ ବିକ୍ରି ପାଇଁ ଯେଉଁଦିନ ଚୁକ୍ତି ହେଲା ସେଦିନ ଛଅ ବର୍ଷର ଝିଅ ଫରିସ୍ତେ ଓ ୧୮ ମାସର ଝିଅ ଶୋକ୍ରିୟା ସହ ଫାହିମା କାଦୁଅ-ଯୋଡ଼େଇ ଇଟା କାନ୍ଥ ଓ ତାରପୋଲିନ ତଳେ ବସିଥିଲେ। ତାଙ୍କ ସ୍ବାମୀ କହିଲେ, ଝିଅଙ୍କୁ ଯଦି ନ ବିକିବା ତେବେ ଆମେ ସମେସ୍ତ ମରିବା କାରଣ ଖାଇବାକୁ କିଛି ବି ନାହିଁ। ବଡ଼ ଝିଅ ପାଇଁ ୩,୩୫୦ ଓ କୁନି ଝିଅ ପାଇଁ ୨,୮୦୦ ଡଲାରର ପଣ ଛିଣ୍ଡିଲା। ତାଙ୍କ ଭବିଷ୍ୟତର ସ୍ବାମୀମାନେ ବି ଏବେ ସୁଦ୍ଧା ନାବାଳକ। କଥା ଛିଣ୍ଡିଲା, ଝିଅମାନେ ସ୍ବାମୀ ଘରକୁ ଯିବା ପାର୍ଯ୍ୟନ୍ତ ଏହି ଟଙ୍କା ତାଙ୍କୁ କିସ୍ତି ଆକାରରେ ମିଳିବ। ବରର ବାପାମାଆ କିଛି କିଛି ଟଙ୍କା କିସ୍ତିରେ ଦେଇ ତାଙ୍କ ପୁଅ ପାଇଁ ବୋହୂ ପକ୍କା କରିଦେଇଥାନ୍ତି।

ଏହି ଘଟଣା କେବଳ ଫାହିମାଙ୍କ କ୍ଷେତ୍ରରେ ଘଟିନାହିଁ। ଏହା ସମ୍ପ୍ରତି ଆଫଗାନିସ୍ତାନର ଘର ଘରର କାହାଣୀ। ବିଶ୍ବ ଖାଦ୍ୟ ଯୋଜନା (ଡବ୍ଲୁଏଫ୍‌ପି) ପକ୍ଷରୁ ସୋମବାର ସତର୍କ କରାଇ ଦିଆଯାଇଛି ଯେ, ୨୨.୮ ନିୟୁତ ଜନସଂଖ୍ୟାବିଶିଷ୍ଟ ଆଫଗାନିସ୍ତାନର ଅର୍ଦ୍ଧାଧିକ ଲୋକ ଆସନ୍ତା ନଭେମ୍ବର ମାସରୁ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହେବେ। ବାଦଘିସ ପ୍ରଦେଶର ରାଜଧାନୀ କାଲା-ଇ-ନାଓରେ ମରୁଡ଼ିର ପ୍ରଭାବ ସବୁଠାରୁ ଅଧିକ। ସେଠାକାର ଲୋକଙ୍କ କହିବା ଅନୁସାରେ ୨୦୧୮ ମରୁଡ଼ି ସମୟରେ ସେଠାରେ କନ୍ୟା ବିକ୍ରି ହାର ବୃଦ୍ଧି ପାଇଥିଲା। ବର୍ତ୍ତମାନ ତାହା ଆହୁରି ବଢ଼ିଯାଇଛି। ଫାହିମାଙ୍କ ୨୫ ବର୍ଷୀୟ ପଡ଼ୋଶୀ ଶବେରେ ତେଜରାତି ଦୋକାନରୁ ବାକି କରି ଖାଉଥିଲେ। ତାଙ୍କର ବାକି ପରିମାଣ ବଢ଼ିଯିବାରୁ ଦୋକାନୀ ତାଗିଦ କଲା, ବାକି ଶୁଝି ନ ପାରିଲେ ତୁମକୁ ଜେଲ ଯିବାକୁ ପଡ଼ିପାରେ। ଶେଷକୁ ଶବେରେ ତାଙ୍କ ତିନି ବର୍ଷୀୟା ଝିଅ ଜାକେରେକୁ ଦୋକାନୀଙ୍କ ଚାରି ବର୍ଷର ପୁଅ ଜାବିଉଲ୍ଲା ସହ ବାହାଦେବା ପାଇଁ ନିର୍ବନ୍ଧ କରି ପଣ ଅର୍ଥରେ ବାକି ପରିଶୋଧ କରିବାକୁ ବାଧ୍ୟ ହେଲେ। ଝିଅ ଆଉ ଟିକେ ବଡ଼ ହେବା ଯାଏ ଦୋକାନୀ ଅପେକ୍ଷା କରିବେ ଏବଂ ସେତେଦିନ ଯାଏ ତା’ର ଭରଣପୋଷଣ ଖର୍ଚ୍ଚ ବି ବହନ କରିବେ।

ସମ୍ବନ୍ଧିତ ଖବର