କିଏ ହେବ ଇସଲାମିକ ଷ୍ଟେଟର ନୂଆ ମୁଖିଆ ?

ମୋସୁଲ : ଗତ ସପ୍ତାହରେ ଆମେରିକୀୟ ସୈନ୍ୟଙ୍କ ଆକ୍ରମଣ ବେଳେ ଆତ୍ମଘାତୀ ବିସ୍ଫୋରଣରେ ଇସଲାମିକ ଷ୍ଟେଟ୍ ବା ଆଇଏସର ମୁଖିଆ  ଅବୁ ଇବ୍ରାହିମ ଅଲ ହାସିମ ଅଲ-କୁରାସି ମୃତ୍ୟୁବରଣ କରିବା ପରେ ତାହାର ଉତ୍ତରାଧିକାରୀ ଖୋଜା ଚାଲିଛି ।

କେତେକ ବିଶେଷଜ୍ଞଙ୍କ ମତରେ ଆଇଏସରେ ଥିବା ଇରାକୀ ଜିହାଦିଙ୍କ ମଧ୍ୟରୁ ଜଣକୁ ଏହି ଆତଙ୍କବାଦୀ ସଂଗଠନର ମୁଖ୍ୟ ନିଯୁକ୍ତ କରାଯାଇପାରେ । ଫାଦିଲ ଇବୁ ଗିଫ ନାମକ ଇରାକୀ ବିଶେଷଜ୍ଞଙ୍କ ମତରେ ଅଲ-କୁରାସିର ସମ୍ଭାବ୍ୟ ଉତ୍ତରାଧିକାରୀ ପାଇଁ ୪ ଜଣଙ୍କ ନାମ ଚୂଡ଼ାନ୍ତ କରାଯାଇଛି । ଏହି ୪ ଜଣଙ୍କ ମଧ୍ୟରେ ରହିଛି ଇରାକ ପାଇଁ ଆଇଏସର ନେତା  ଅବୁ ଖଦିଜା, ଅନବର ରାଜ୍ୟ ପାଇଁ ଆଇଏସ କମାଣ୍ଡର ଅବୁ ମୁସଲିମ । ଆଉ ଜଣେ ଆତଙ୍କବାଦୀ ବି ଏହି ଦୌଡ଼ରେ ରହିଛି । ତା ନାଁ ହେଉଛି ଅବୁ ସାଲି । ସେ ଆଇଏସ ପ୍ରତିଷ୍ଠାତା ବାଗଦାଦି ଓ କୁରାସିର ଘନିଷ୍ଠ ଥିବା କୁହାଯାଉଛି ।

ଗତ ୨ ତାରିଖ ରାତିରେ ଉତ୍ତର-ପଶ୍ଚିମ ସିରିଆର ଇଡଲିଭ ରାଜ୍ୟରେ କରାଯାଇଥିବା ଏକ ଅପରେସନରେ ଇସଲାମିକ ଷ୍ଟେଟ ସର୍ବୋଚ୍ଚ ନେତା ଅବୁ ଇବ୍ରାହିମ ଅଲ ହାସିମ ଅଲ-କୁରାସି ନିହତ ହୋଇଥିବା ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିଲେ । କିନ୍ତୁ ଅନ୍ତର୍ଜତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ କୁରାସି ରହୁଥିବା ଘରେ ଆମେରିକୀୟ ସୈନ୍ୟ ପହଞ୍ଚିବା ପୂର୍ବରୁ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇଦେଇଥିଲା ।

 

ସମ୍ବନ୍ଧିତ ଖବର